ଭୁବନେଶ୍ୱର: ପୂର୍ବ ଏବଂ ମଧ୍ୟ ଭାରତରେ ପ୍ରାୟ ୫୫ ବର୍ଷ ଧରି ଚାଲୁଥିବା ନକ୍ସଲ-ମାଓବାଦୀ ଆନ୍ଦୋଳନରେ ହଜାର ଜୀବନ ବଳିହୋଇଛି। ୧୯୬୭ରେ ପଶ୍ଚିମବଙ୍ଗର ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହ, ପଛଲା ୩୫ ବର୍ଷରେ ୬,୫୦୦ରୁ ଅଧିକ ନିର୍ଦ୍ଦୋଷ ଲୋକ ଏବଂ ସୁରକ୍ଷାବଳଙ୍କ ମୃତ୍ୟୁର କାରଣ ହୋଇଛି।
ତେବେ, ବର୍ତ୍ତମାନ ସମୟରେ ମାଓବାଦୀ ସଂଗଠନ ଦୁର୍ବଳ ହୋଇପଡ଼ିଛି। ସରକାରଙ୍କ ବିକାଶ ପ୍ରୟାସ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଏବଂ ପୁନର୍ବାସ ଯୋଜନାରେ ଆକର୍ଷିତ ହୋଇ ହଜାରହଜାର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦,୦୦୦ରୁ ଅଧିକ କ୍ୟାଡର୍ସ ଅସ୍ତ୍ର ଛାଡ଼ିଛନ୍ତି।
ଏହି ପରିସ୍ଥିତିରେ, ସିପିଆଇ (ମାଓବାଦୀ) ସଂଗଠନର ଜଣେ ପ୍ରମୁଖ ନେତା ମଲ୍ଲୋଜୁଲା ବେଣୁଗୋପାଳ ଓରଫ ଅଭୟ ଓରଫ ଭୂପତି (୬୯) ଏକ ପତ୍ର ଜାରି କରି ସ୍ୱୀକାର କରିଛନ୍ତି — “ଅସ୍ତ୍ର ଉଠାଇବା ମାଓ ଆନ୍ଦୋଳନର ସର୍ବବଡ଼ ଭୁଲ ଥିଲା”। ସେ ଜନସାଧାରଣଙ୍କୁ ଖୋଲାଖୋଲି କ୍ଷମା ମାଗିଛନ୍ତି ଏବଂ ମାଓବାଦୀଙ୍କୁ ଗଣତାନ୍ତ୍ରିକ ପଥରେ ଆସିବାକୁ ଆହ୍ୱାନ କରିଛନ୍ତି।
ପତ୍ରରେ ଭୂପତି ଲେଖିଛନ୍ତି ଯେ, ୪୦ ବର୍ଷର ସଶସ୍ତ୍ର ସଂଘର୍ଷ କେବଳ ଆଦିବାସୀ ଅଞ୍ଚଳରେ ଭୟ, ନିରାଶା ଓ ବିନାଶ ଆଣିଛି। ହଜାରୋ ନିରୀହ ଲୋକ, ମହିଳା ଓ ଶିଶୁ ହିଂସାର ଶିକାର ହୋଇଛନ୍ତି। ଏହା ‘ବିପ୍ଳବ’ ନୁହେଁ, ବରଞ୍ଚ ଧ୍ୱଂସ।
ଭୂପତି, ଯିଏ ତେଲେଙ୍ଗାନାର କରିମନଗର ଜିଲ୍ଲାର ପେଡ଼୍ଡାପାଲିର ବାସିନ୍ଦା, ନିଜ ପରିବାରରେ ମଧ୍ୟ ଆନ୍ଦୋଳନର କଠିନ ପରିଣାମ ଦେଖିଛନ୍ତି। ତାଙ୍କ ଭାଇ କିଶାନଜୀ ୨୦୧୧ରେ ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ, ପତ୍ନୀ ଓ ଭଉଣୀ ସମ୍ପ୍ରତି ଆତ୍ମସମର୍ପଣ କରିଥିଲେ।
ସୁରକ୍ଷା ଏଜେନ୍ସିମାନେ ଭୂପତିଙ୍କ ଏହି ଚିଠିକୁ ମାଓବାଦୀ ସଂଗଠନର ଭିତରେ ଦୁର୍ବଳତା ଓ ଭାଙ୍ଗିପଡ଼ିବାର ସଙ୍କେତ ବୋଲି ମନେ କରୁଛନ୍ତି।