ନୂଆଦିଲ୍ଲୀ: ଗତବର୍ଷ ପଡ଼ୋଶୀ ଦେଶ ପାକିସ୍ତାନ ସହ ସୀମା ତଣାତଣି ସମୟରେ ମହାକାଶ ନିରୀକ୍ଷଣର କିଛି ସୀମାବଧ୍ଧତା ସାମ୍ନାକୁ ଆସିବା ପରେ ଭାରତ ଏବେ ନିଜର ସ୍ପେସ୍-ଭିତ୍ତିକ ସର୍ଭେଲାନ୍ସ ବ୍ୟବସ୍ଥାକୁ ବହୁଗୁଣା ଶକ୍ତିଶାଳୀ କରିବା ଦିଗରେ ଆଗୁଆଁ ହୋଇଛି। ଏହାର ଅଂଶ ଭାବେ ୫୦ରୁ ଅଧିକ ଗୁପ୍ତଚର ଉପଗ୍ରହ ଉତ୍କ୍ଷେପଣ କରିବାକୁ ଯୋଜନା ହୋଇଛି।
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିଦେଶରେ ଗ୍ରାଉଣ୍ଡ ଷ୍ଟେସନ୍ ସ୍ଥାପନ କରିବା ଉପରେ ମଧ୍ୟ ବିଚାର କରୁଛି ବୋଲି ସୂଚନା ମିଳିଛି। ମଧ୍ୟପ୍ରାଚ୍ୟ, ଦକ୍ଷିଣ–ପୂର୍ବ ଏସିଆ ଓ ସ୍କାଣ୍ଡିନେଭିଆ ଅଞ୍ଚଳରେ ଏମିତି ଗ୍ରାଉଣ୍ଡ ଷ୍ଟେସନ୍ ଗଢ଼ାଯାଇପାରେ, ଯଦିଓ ଏହା ପାଇଁ ସ୍ଥାନୀୟ ସରକାରଙ୍କ ଅନୁମତି ଆବଶ୍ୟକ ହେବ।
ନୂତନ ପିଢ଼ିର ଏହି ଉପଗ୍ରହଗୁଡ଼ିକୁ ଅନ୍ଧକାର ଓ ମେଘାଛାଦିତ ପରିସ୍ଥିତିରେ ମଧ୍ୟ ସ୍ପଷ୍ଟ ଚିତ୍ର ଧରିବାକୁ ସକ୍ଷମ ଆଧୁନିକ ପ୍ରଯୁକ୍ତିରେ ସଜ୍ଜିତ କରାଯିବ। ସେଥିସହ ଗ୍ରାଉଣ୍ଡ ଷ୍ଟେସନ୍ ଉପରେ ନିର୍ଭରଶୀଳତା କମାଇ ଉପଗ୍ରହରୁ ଉପଗ୍ରହକୁ ସିଧାସଳଖ ତଥ୍ୟ ଆଦାନ–ପ୍ରଦାନ କରିବାକୁ ନବୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। ‘ସ୍ପେସ୍–ବେସଡ୍ ସର୍ଭେଲାନ୍ସ–୩’ ପ୍ରକଳ୍ପ ଅଧୀନରେ ପ୍ରଥମ ପର୍ଯ୍ୟାୟର ୫୨ଟି ଉପଗ୍ରହ ଉତ୍କ୍ଷେପଣ ପ୍ରକ୍ରିୟାକୁ ଦ୍ରୁତ କରାଯାଇଛି।
ଉପଗ୍ରହ ଉତ୍କ୍ଷେପଣକୁ ତ୍ୱରାନ୍ୱିତ କରିବା ନେଇ ଗତ ଜୁନ୍ ମାସରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଏହାସହିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଭି. ନାରାୟଣନ୍ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଦେଶର ସୀମା ସୁରକ୍ଷାକୁ ଧ୍ୟାନରେ ରଖି ୧୫୦ଟି ନୂତନ ଉପଗ୍ରହ ନିୟୋଜନର ଯୋଜନା ରହିଛି। ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ପ୍ରାୟ ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ଆନୁମାନ କରାଯାଇଛି।
ଗତ ମେ ମାସରେ ଦକ୍ଷିଣ ଏସିଆର ଏକ ପଡ଼ୋଶୀ ଆଣବିକ ସଶସ୍ତ୍ର ଦେଶ ସହ ସାମରିକ ମୁହାଁମୁହିଁ ପରେ ଭାରତ ମହାକାଶ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ପାଠ ନେଇଛି। ପୂର୍ବରୁ ମଧ୍ୟ ରିପୋର୍ଟ ମାଧ୍ୟମରେ ଜଣାପଡ଼ିଥିଲା ଯେ କକ୍ଷପଥରେ ଥିବା ମହାକାଶଯାନ ପ୍ରତି ସମ୍ଭାବ୍ୟ ବିପଦକୁ ଚିହ୍ନଟ ଓ ପ୍ରତିରୋଧ କରିବା ପାଇଁ ଭାରତ ‘ଅଙ୍ଗରକ୍ଷୀ’ ଉପଗ୍ରହ ବିକାଶ ଉପରେ ମଧ୍ୟ କାମ କରୁଛି।





