ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ଟିକସ ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍-୨୦୨୬ ଆଗତ କରିଛନ୍ତି। ଦେଶରେ ନିବେଶକୁ ପ୍ରୋତ୍ସାହନ, ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ କରିବା, କର ବ୍ୟବସ୍ଥାରେ ସ୍ଥିରତା ଆଣିବା ଏବଂ ପୂର୍ବରୁ ଜାରି ହୋଇଥିବା ଆୟକର (ସଂଶୋଧନ) ଅଧ୍ୟାଦେଶକୁ ଆଇନର ରୂପ ଦେବା ଏହି ବିଲ୍ର ମୂଳ ଉଦ୍ଦେଶ୍ୟ।
ପ୍ରସ୍ତାବିତ ବିଲ୍ରେ ଆୟକର ଆଇନ-୨୦୨୫, ଅର୍ଥ ଆଇନ-୨୦୨୬ ଏବଂ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ ଆଇନ-୨୦୦୭ରେ ଏକାଧିକ ସଂଶୋଧନ କରିବାକୁ ବ୍ୟବସ୍ଥା ରହିଛି। ବିଶ୍ୱସ୍ତରରେ ବଦଳୁଥିବା ଭୂ-ରାଜନୈତିକ ପରିସ୍ଥିତି ଏବଂ ବିଶ୍ୱ ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ବ୍ୟାଘାତକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ପ୍ରସ୍ତାବ କରାଯାଇଛି।
ବିଲ୍ ଅନୁଯାୟୀ, ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI)ମାନେ ସରକାରୀ ସିକ୍ୟୁରିଟିଜ୍ରେ ନିବେଶ କରି ଯେଉଁ ସୁଧ ଓ ପୁଞ୍ଜି ଲାଭ ପାଉଛନ୍ତି, ତାହା ଉପରେ ଦିଆଯାଇଥିବା ଆୟକର ଛାଡ଼କୁ ସ୍ଥାୟୀ ଆଇନଗତ ମାନ୍ୟତା ମିଳିବ। ଏହି ବ୍ୟବସ୍ଥା ପୂର୍ବରୁ ଜୁନ୍ ୫ରେ ଅଧ୍ୟାଦେଶ ଜରିଆରେ ଲାଗୁ କରାଯାଇଥିଲା।
ଏହାଛଡ଼ା, ସୀମା ଶୁଳ୍କ ନିୟନ୍ତ୍ରିତ ଅଞ୍ଚଳରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମହଜୁଦ ରଖି ଭାରତୀୟ ନିର୍ମାତାଙ୍କୁ ବିକ୍ରି କରୁଥିବା ବିଦେଶୀ କମ୍ପାନିଗୁଡ଼ିକୁ ଟିକସ ଛାଡ଼ ସୁବିଧା ମିଳିବ। ସେହିପରି କଟା କିମ୍ବା ପଲିସ୍ ହୋଇନଥିବା ହୀରା ବ୍ୟବସାୟରେ ଯୋଗ୍ୟ ସଂସ୍ଥାମାନଙ୍କୁ ୨୦୪୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟିକସ ରିହାତି ଦେବାକୁ ମଧ୍ୟ ପ୍ରସ୍ତାବ ରହିଛି।
ବିଲ୍ରେ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ ଆଇନରେ ସଂଶୋଧନ କରି ସରକାରଙ୍କୁ ଏକ କିମ୍ବା ଏକାଧିକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା କିମ୍ବା ଛାଡ଼ ଦେବାର ଅଧିକାର ଦେବାକୁ ପ୍ରସ୍ତାବ ରହିଛି। ଅର୍ଥାତ୍, କେଉଁ ଡିଜିଟାଲ ପେମେଣ୍ଟ ମାଧ୍ୟମରେ MDR ଲାଗୁ ହେବ ଓ କେଉଁଥିରେ ଲାଗୁ ହେବ ନାହିଁ, ସେଥିରେ ସରକାର ନିଷ୍ପତ୍ତି ନେଇପାରିବେ।
ଏହି ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଅଧିକ ମୂଲ୍ୟର UPI କାରବାର ଉପରେ MDR ଲାଗୁ ହୋଇପାରେ ବୋଲି ଆଲୋଚନା ଚାଲିଛି। ତେବେ ସରକାର ଏନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା କରିନାହାନ୍ତି। ବର୍ତ୍ତମାନ ୨୦୨୦ ଜାନୁଆରୀରୁ UPI କାରବାର ଉପରେ MDR ଲାଗୁ ହେଉନାହିଁ।




