ନୂଆଦିଲ୍ଲୀ: ଦେଶରେ ହ୍ୱାଇଟ୍ ଲେବଲ୍ ଏଟିଏମ୍ (WLA) ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳରେ ଏଟିଏମ୍ ସେବାର ପ୍ରସାର ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ନଭେମ୍ବର ୨୭ରେ ଜାରି ହୋଇଥିବା ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ହ୍ୱାଇଟ୍ ଲେବଲ୍ ଏଟିଏମ୍ ଅପରେଟର୍ସ) ଡାଇରେକ୍ସନ୍ସ, ୨୦୨୬’ ତୁରନ୍ତ ଲାଗୁ ହୋଇଛି। ଏହି ନିୟମ ଅନୁଯାୟୀ, ହ୍ୱାଇଟ୍ ଲେବଲ୍ ଏଟିଏମ୍ ପରିଚାଳକମାନେ ଏଣିକି ନିର୍ଦ୍ଦିଷ୍ଟ ସର୍ତ୍ତରେ ସିଧାସଳଖ RBIର ଇସ୍ୟୁ ଅଫିସ୍ ଓ କରେନ୍ସି ଚେଷ୍ଟରୁ ନଗଦ ଟଙ୍କା କିଣିପାରିବେ।

କ’ଣ ଏହି ହ୍ୱାଇଟ୍ ଲେବଲ୍ ଏଟିଏମ୍?

ହ୍ୱାଇଟ୍ ଲେବଲ୍ ଏଟିଏମ୍ ହେଉଛି ଏପରି ଏଟିଏମ୍, ଯାହାକୁ କୌଣସି ବ୍ୟାଙ୍କ ପରିବର୍ତ୍ତେ ଆର୍‌ବିଆଇର ଅନୁମତିପ୍ରାପ୍ତ ଘରୋଇ କମ୍ପାନି ସ୍ଥାପନ, ମାଲିକାନା ଓ ପରିଚାଳନା କରିଥାଏ। ଏଥିରେ ବିଭିନ୍ନ ବ୍ୟାଙ୍କର ଗ୍ରାହକ ନିଜ ଏଟିଏମ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଇପାରନ୍ତି।

୧୦୦ କୋଟି ଟଙ୍କାର ସର୍ବନିମ୍ନ ନେଟ୍‌ୱର୍ଥ ବାଧ୍ୟତାମୂଳକ

ନୂଆ ନିୟମ ଅନୁଯାୟୀ, ହ୍ୱାଇଟ୍ ଲେବଲ୍ ଏଟିଏମ୍ ପରିଚାଳନା କରୁଥିବା ଅଣ-ବ୍ୟାଙ୍କ ସଂସ୍ଥାଗୁଡ଼ିକର ସର୍ବନିମ୍ନ ନେଟ୍‌ୱର୍ଥ ୧୦୦ କୋଟି ଟଙ୍କା ହେବା ଆବଶ୍ୟକ। ଏହି ମୂଲ୍ୟକୁ ସବୁବେଳେ ବଜାୟ ରଖିବାକୁ ପଡ଼ିବ। ଏଥିସହ ଏଟିଏମ୍ ସ୍ଥାପନ ପୂର୍ବରୁ RBIର ଅନୁମତି ନେବା ବାଧ୍ୟତାମୂଳକ।

ସହର ତୁଳନାରେ ଗ୍ରାମାଞ୍ଚଳକୁ ଅଧିକ ଗୁରୁତ୍ୱ

ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଏଟିଏମ୍ ସେବା ବଢ଼ାଇବାକୁ RBI ଏକ ନିର୍ଦ୍ଦିଷ୍ଟ ଅନୁପାତ ଧାର୍ଯ୍ୟ କରିଛି। ମେଟ୍ରୋ ଓ ସହରାଞ୍ଚଳ, ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏଟିଏମ୍ ସ୍ଥାପନର ଅନୁପାତ ଅତି କମ୍‌ରେ ୧:୨:୩ ରହିବ। ଅର୍ଥାତ୍ ପ୍ରତି ଗୋଟିଏ ମେଟ୍ରୋ ବା ସହରାଞ୍ଚଳ ଏଟିଏମ୍ ପାଇଁ ଅତି କମ୍‌ରେ ଦୁଇଟି ଅର୍ଦ୍ଧ ସହରାଞ୍ଚଳ ଓ ତିନୋଟି ଗ୍ରାମାଞ୍ଚଳ ଏଟିଏମ୍ ରହିବା ଆବଶ୍ୟକ। RBI ପ୍ରତି ଛଅ ମାସରେ ଏହାର ସମୀକ୍ଷା କରିବ।

ଏକାଧିକ ବ୍ୟାଙ୍କରୁ ଟଙ୍କା ନେଇପାରିବେ କମ୍ପାନି

ପୂର୍ବରୁ ହ୍ୱାଇଟ୍ ଲେବଲ୍ ଏଟିଏମ୍ ପରିଚାଳକମାନେ ନଗଦ ଟଙ୍କା ଯୋଗାଣ ପାଇଁ ନିଜ ସ୍ପନ୍‌ସର ବ୍ୟାଙ୍କ ଉପରେ ନିର୍ଭର କରୁଥିଲେ। ନୂଆ ନିୟମରେ ସେମାନେ ଏକାଧିକ ସ୍ପନ୍‌ସର ବ୍ୟାଙ୍କ ସହ ଚୁକ୍ତି କରିବା ସହ ଅନ୍ୟ ସୂଚୀଭୁକ୍ତ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରୁ ମଧ୍ୟ ନଗଦ ଟଙ୍କା ନେଇପାରିବେ।

ଏହାବ୍ୟତୀତ, ଯେକୌଣସି ମୂଲ୍ୟର ନୋଟ୍‌ର ଏକ ଲକ୍ଷ ଖଣ୍ଡରୁ ଅଧିକ ଏବଂ ତାହାର ଗୁଣିତକ ପରିମାଣର ନଗଦ ଟଙ୍କା RBIର ଇସ୍ୟୁ ଅଫିସ୍ କିମ୍ବା କରେନ୍ସି ଚେଷ୍ଟରୁ ସିଧାସଳଖ କିଣିପାରିବେ। ଏଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ଆଗୁଆ ଦେବାକୁ ପଡ଼ିବ।

ଗ୍ରାହକଙ୍କଠାରୁ ସିଧାସଳଖ ଶୁଳ୍କ ନେଇପାରିବେନି

ନୂଆ ନିୟମରେ ହ୍ୱାଇଟ୍ ଲେବଲ୍ ଏଟିଏମ୍ ପରିଚାଳକମାନେ ଏଟିଏମ୍ ବ୍ୟବହାର ପାଇଁ ବ୍ୟାଙ୍କଠାରୁ ଶୁଳ୍କ ପାଇପାରିବେ, କିନ୍ତୁ ଗ୍ରାହକଙ୍କଠାରୁ ସିଧାସଳଖ ଟଙ୍କା ଆଦାୟ କରିପାରିବେ ନାହିଁ। ଏହି ଏଟିଏମ୍‌ରେ କରାଯାଇଥିବା କାରବାର ମଧ୍ୟ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ମିଳୁଥିବା ମାସିକ ମାଗଣା କାରବାର ସଂଖ୍ୟା ମଧ୍ୟରେ ଗଣାଯିବ।

UPI ଜରିଆରେ କାର୍ଡ ବିନା ଟଙ୍କା ଉଠାଣ ସୁବିଧା

ନୂଆ ନିୟମ ଅନୁଯାୟୀ, ହ୍ୱାଇଟ୍ ଲେବଲ୍ ଏଟିଏମ୍‌ରେ ବିଲ୍ ପେମେଣ୍ଟ, ଇଣ୍ଟରଅପରେବଲ୍ କ୍ୟାଶ୍ ଡିପୋଜିଟ୍ ଏବଂ କାର୍ଡ ବିନା ଟଙ୍କା ଉଠାଣ (ICCW) ସୁବିଧା ମଧ୍ୟ ଦିଆଯାଇପାରିବ। ଏଥିପାଇଁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା ଓ NPCIର ପ୍ରମାଣୀକରଣ ଜରୁରୀ। କାର୍ଡ ବିନା ଟଙ୍କା ଉଠାଣରେ UPI ଜରିଆରେ ଗ୍ରାହକଙ୍କ ପରିଚୟ ଓ ଅନୁମତି ଯାଞ୍ଚ ହେବ; ଟଙ୍କାର ହିସାବ ନିକାଶ ATM ନେଟ୍‌ୱର୍କ ମାଧ୍ୟମରେ ହେବ।

RBIର ଏହି ନିୟମ ଦ୍ୱାରା ନଗଦ ଟଙ୍କା ଯୋଗାଣ ବ୍ୟବସ୍ଥାରେ ବିକଳ୍ପ ବଢ଼ିବା ସହ ଦେଶର ଦୁର୍ଗମ ଓ ଗ୍ରାମାଞ୍ଚଳରେ ଏଟିଏମ୍ ସେବାର ପ୍ରସାରକୁ ଗତି ମିଳିବ ବୋଲି ଆଶା କରାଯାଉଛି।