ବାରିପଦା, ୮ ମଇ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଏ ଆଇ (Artificial Intelligence) ଆଧାରିତ ସୁରକ୍ଷା ପ୍ରଣାଳୀ ଏକ ବଡ଼ ସଫଳତା ମିଳାଇଛି। ଗତକାଲି ରାତିରେ ଶିକାର କାର୍ଯ୍ୟ କରିଥିବା ବେଳେ ଏ ଆଇ କ୍ୟାମେରା ଦ୍ୱାରା ଚିହ୍ନଟ ହୋଇ ତିନି ଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜୁହା ଗାଁର ଲାଛୁ ମୁର୍ମୁ, ମଧୁସୂଦନ ମୁର୍ମୁ ଓ ଘସିରାମ ଟୁଡୁ। ସେମାନେ ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟରେ ଜଡିତ ଥିବା ଜଣାଯାଇଛି ଓ ଆଧୁନିକ ଅସ୍ତ୍ର ବ୍ୟବହାର କରୁଥିବାର ଅଭିଯୋଗ ଅଛି।
ତଦନ୍ତ ସମୟରେ ତିନିଟି ସିଙ୍ଗଲ୍ ବ୍ୟାରେଲ୍ ବନ୍ଧୁକ ଓ ୧୭ଟି ଗୁଳି (ଯାହାମଧ୍ୟରୁ ୫ଟି ଜୀବନ୍ତ) ଜବତ କରାଯାଇଛି। ଗିରଫ ପରେ ଏମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଯାଇଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶିମିଳିପାଳ ଅଞ୍ଚଳରେ ଅପରାଧ କମେଇବାରେ ଏ ଆଇ ସୁରକ୍ଷା ପ୍ରଣାଳୀ ଦ୍ୱାରା ବଡ଼ ମାପରେ ସାହାଯ୍ୟ ମିଳୁଛି। ଏହି ଘଟଣା ପ୍ରମାଣିତ କରେ ଯେ ଟେକ୍ନୋଲୋଜି ଆଧାରିତ ନିଗରାନୀ ପଦ୍ଧତି ଜଙ୍ଗଲ ରକ୍ଷାରେ ଫଳପ୍ରଦ ଭୂମିକା ନିଭାଉଛି।