ନବରଙ୍ଗପୁର: ସନ୍ଧ୍ୟା ନମିଲେ ନବରଙ୍ଗପୁର ଜିଲ୍ଲାର ଅନେକ ଅଞ୍ଚଳ ଆଜି ମଧ୍ୟ ଅନ୍ଧାରରେ ଡୁବିଯାଉଛି। ଜିଲ୍ଲାର ୧୦ଟି ବ୍ଲକ ଅଧୀନରେ ଥିବା ୩୪୪ଟି ଛୋଟ ପଡ଼ା ଗାଁରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ୪୦୦୭ ପରିବାର ଅନ୍ଧାରରେ ଜୀବନ କାଟୁଛନ୍ତି। ସରକାରୀ ରେକର୍ଡରେ ସୋଲାର ପ୍ରକଳ୍ପ ମାଧ୍ୟମରେ ବିଦ୍ୟୁତ୍ ଯୋଗାଯାଇଥିବା କଥା ଉଲ୍ଲେଖ ଥିଲେ ମଧ୍ୟ, ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅଧିକାଂଶ ସୋଲାର ପ୍ରକଳ୍ପ ବହୁ ଦିନ ଧରି ଅଚଳ ରହିଛି ଓ ସେଗୁଡ଼ିକର ମରାମତି ହେଉନାହିଁ। ପୂର୍ବରୁ ବିଜୁ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାରେ ଏହି ଛୋଟ ଗାଁଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଯୋଜନା ସତ୍ତ୍ୱେ ଏହି ୩୪୪ଟି ପଡ଼ା ଗାଁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଆଲୋକରୁ ବଞ୍ଚିତ ରହିଛି।
ଏହି ସମସ୍ୟାକୁ ନେଇ ‘ସମ୍ବାଦ’ ପତ୍ରିକାରେ ଖବର ପ୍ରକାଶ ପାଇବା ପରେ ମାନବାଧିକାର କର୍ମୀ ଅନୁପ ପାତ୍ର ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନର ଅଧିକାର ଉଲ୍ଲଂଘନ ଦର୍ଶାଇ ଜାତୀୟ ମାନବାଧିକାର କମିସନ୍ ନିକଟରେ ଏକ ମାମଲା ଦାଖଲ କରିଛନ୍ତି।
ଏହାସହ ଗତ ଦିଶା ବୈଠକରେ ୮୮ଟି ପଡ଼ା ଗାଁର ୨୨୦୫ଟି ଘରକୁ ସାଧାରଣ ବିଦ୍ୟୁତିକରଣ ପାଇଁ ୧୩ କୋଟି ୯୩ ଲକ୍ଷ ଟଙ୍କା ଏବଂ ଅବଶିଷ୍ଟ ୨୫୬ଟି ଗାଁର ୧୮୦୨ଟି ଘରକୁ ସୋଲାର ମାଧ୍ୟମରେ ବିଦ୍ୟୁତିକରଣ କରିବା ପାଇଁ ୯ କୋଟି ୧ ଲକ୍ଷ ଟଙ୍କା ଖର୍ଚ୍ଚର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ପ୍ରସ୍ତାବରେ ଲୋକସଭା ସାଂସଦ ଇଂ. ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ, ଶିକ୍ଷାମନ୍ତ୍ରୀ, ୩ଜଣ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ସ୍ୱାକ୍ଷର କରିଛନ୍ତି।
ରାଜ୍ୟ ସରକାର ଅନୁମୋଦନ ଦେଇ ଅର୍ଥ ମଞ୍ଜୁର କଲେ, ଜିଲ୍ଲା ପ୍ରଶାସନ ମାଧ୍ୟମରେ ଟାଟା ପାୱାର ଦ୍ୱାରା ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ କରାଯାଇ ନୂଆ ବିଦ୍ୟୁତ୍ ଖୁଣ୍ଟ ସ୍ଥାପନ ସହ ପ୍ରତ୍ୟେକ ପରିବାରକୁ ଘରେ ଘରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଜଣାପଡ଼ିଛି।
ପ୍ରକାଶଯୋଗ୍ୟ ଯେ, ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ପାପଡ଼ାହାଣ୍ଡି, ଡାବୁଗାଁ, କୋଷାଗୁମୁଡ଼ା, ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ମୋଟ ୩୪୪ଟି ପଡ଼ା ଗାଁରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ପହଞ୍ଚି ପାରିନି। ସମସ୍ତ ରାଜସ୍ୱ ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ, ଏହି ପଡ଼ା ଗାଁଗୁଡ଼ିକୁ ଆଲୋକିତ କରିବା ବାକି ରହିଛି ବୋଲି ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ରାଉତ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର କେବେ ପ୍ରସ୍ତାବକୁ ଅନୁମୋଦନ କରି ଅର୍ଥ ମଞ୍ଜୁର କରିବେ, ତାହା ଆଗାମୀ ସମୟ କହିବ। ସେଯାଏଁ ୩୪୪ଟି ପଡ଼ା ଗାଁର ଲୋକେ ଅନ୍ଧାରରେ ଜୀବନ କାଟିବାକୁ ବାଧ୍ୟ ହେବେ।





