ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ଚୋରା ବିଦେଶୀ ମଦ କାରବାରର ପର୍ଦ୍ଦାଫାଶ କରିଛି ପୁଲିସ। ଚଢ଼ାଉ କରି ପୁଲିସ ଏକ କାର ସହ ମୋଟ ୮୮୦ ବୋତଲ ବିଦେଶୀ ମଦ ଜବତ କରିଥିବାବେଳେ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ହେଲେ ନୂଆପଡ଼ା ଅଞ୍ଚଳର ଚନ୍ଦନ ଓରଫ୍ ଶିବ ପ୍ରସାଦ ଦାସ (୨୫)। ଚୋରା ମଦ ପରିବହନରେ ବ୍ୟବହୃତ ଓଡି–୩୩–୩୫୦୦ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଜାୟର କାରକୁ ପୁଲିସ ଜବତ କରିଛି। ତେବେ ଘଟଣାସ୍ଥଳରୁ ମୁଖ୍ୟ ବେପାରୀ ନୂଆପଡ଼ାର ମୁନା ଓରଫ୍ ସଂଗ୍ରାମ ପ୍ରଧାନ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଏହି ଘଟଣାରେ ଢିହସାହିସ୍ଥିତ ବିଦେଶୀ ମଦ ଦୋକାନର ମ୍ୟାନେଜର ଦିଲ୍ଲୀପ ରାୟଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏନେଇ ଏସଡିପିଓ ଆଜିଙ୍କ୍ୟ ମାଣେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଢିହସାହିରେ ଥିବା ବିଦେଶୀ ମଦ ଦୋକାନରୁ ମଦ କିଣି ଅଭିଯୁକ୍ତମାନେ ଚୋରାଭାବେ ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ। ଢିହସାହିରୁ କାରରେ ମଦ ନେଇ ଯାଉଥିବା ବେଳେ ପାକନପୁର ନିକଟରେ ପୁଲିସ ଚଢ଼ାଉ କରିଥିଲା। ପୁଲିସ ଗାଡ଼ି ଦେଖି ଜଣେ ଅଭିଯୁକ୍ତ ପଳାଇଥିବାବେଳେ, କାରର ଡିକି ଓ ପଛ ସିଟ୍ରୁ ବିପୁଳ ପରିମାଣର ମଦ ଜବତ କରାଯାଇଥିଲା।
ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।





