ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭାରତ ଭଳି ଏକ ଯୁବ ରାଷ୍ଟ୍ର ପାଇଁ କେବଳ ପ୍ରଯୁକ୍ତି ନୁହେଁ, ବରଂ ସକାରାତ୍ମକ ପରିବର୍ତ୍ତନର ଏକ ବଡ଼ ସୁଯୋଗ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ‘ସ୍କିଲ୍‌ ଦ ନେସନ୍‌ ଚ୍ୟାଲେଞ୍ଜ’ର ଶୁଭାରମ୍ଭ ଅବସରରେ ସେ ଏହି ମତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ସମାବେଶକୁ ସମ୍ବୋଧନ କରି ସେ କହିଥିଲେ ଯେ, ଏଆଇ ବିଶ୍ୱ ଅର୍ଥବ୍ୟବସ୍ଥା ଓ ସମାଜକୁ ନୂଆ ଆକାର ଦେଉଛି। ଆମେ କିପରି ଶିଖୁଛୁ, କିପରି କାମ କରୁଛୁ ଓ କିପରି ଆଧୁନିକ ସେବା ପାଉଛୁ—ସବୁ କ୍ଷେତ୍ରରେ ଏଆଇର ପ୍ରଭାବ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି।

ରାଷ୍ଟ୍ରପତି କହିଥିଲେ, ପ୍ରଯୁକ୍ତିବିଦ୍ୟାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଶକ୍ତ କରିବା, ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ ଦେବା ଓ ସୁଯୋଗର ପରିଧି ବିସ୍ତାର କରିବା। ସାମାଜିକ, ଆର୍ଥିକ ଓ ପ୍ରଯୁକ୍ତିଗତ ବିଭେଦକୁ କମାଇବାରେ ଏଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବା ଦରକାର ଏବଂ ଏହାର ଲାଭ ସମସ୍ତ ବର୍ଗ, ବିଶେଷକରି ଉପେକ୍ଷିତ ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।

ଛାତ୍ରଛାତ୍ରୀମାନେ ଏକ ସମ୍ଭାବନାମୟ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଦେଖି ସନ୍ତୋଷ ପ୍ରକାଶ କରି ରାଷ୍ଟ୍ରପତି କହିଥିଲେ ଯେ, ପ୍ରଯୁକ୍ତି ସହ ଅର୍ଜିତ ଜ୍ଞାନ ଓ ଦକ୍ଷତାକୁ ସମାଜ ସେବା, ସମସ୍ୟା ସମାଧାନ ଓ ଅନ୍ୟମାନଙ୍କୁ ସଶକ୍ତ କରିବାରେ ବ୍ୟବହାର କରାଯିବା ଉଚିତ। ଏଆଇ ଶିକ୍ଷଣ ମଡ୍ୟୁଲ୍ ସମାପ୍ତ କରିଥିବା ସାଂସଦମାନଙ୍କୁ ସେ ପ୍ରଶଂସା କରି, ଏହାକୁ ଶିକ୍ଷା ମାଧ୍ୟମରେ ନେତୃତ୍ୱର ଏକ ଉଦାହରଣ ବୋଲି କହିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଏଆଇ ଆଗାମୀ ଦଶକରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିର ଏକ ମୁଖ୍ୟ ଚାଳକ ହେବ। ଜିଡିପି ବୃଦ୍ଧି, ନିଯୁକ୍ତି ସୃଷ୍ଟି ଓ ସାମଗ୍ରିକ ଉତ୍ପାଦକତା ବୃଦ୍ଧିରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ଡାଟା ସାଇନ୍ସ, ଏଆଇ ଇଞ୍ଜିନିୟରିଂ ଓ ଡାଟା ଆନାଲିଟିକ୍ସ ଭଳି ଦକ୍ଷତା ଦେଶର ଏଆଇ ପ୍ରତିଭା ଭଣ୍ଡାରକୁ ସୁଦୃଢ଼ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ ଯେ, ଭାରତ କେବଳ ପ୍ରଯୁକ୍ତି ଗ୍ରହଣକାରୀ ନୁହେଁ, ବରଂ ଏକ ଦାୟିତ୍ୱପୂର୍ଣ୍ଣ ଏଆଇ-ଭିତ୍ତିକ ଭବିଷ୍ୟତ ଗଠନରେ ଅଗ୍ରଣୀ ଭୂମିକା ନେବ। ଶିକ୍ଷାନୁଷ୍ଠାନ, ଶିଳ୍ପ ଓ ବିଶେଷଜ୍ଞମାନଙ୍କ ସହ ମିଶି ସରକାର ଏକ ବିକଶିତ ଓ ସମାବେଶୀ ଭାରତ ଗଢ଼ିବା ପାଇଁ କାର୍ଯ୍ୟ କରୁଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ଦିଗରେ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଜଣାଇଥିଲେ।

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଶ୍ରମଶକ୍ତିକୁ ଏକ ଏଆଇ-ଚାଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ପୁନରୁଚ୍ଚାରିତ ହୋଇଛି।