ବୌଦ୍ଧ, ୧୮/୦୬: ବୌଦ୍ଧବାସୀଙ୍କ ପାଇଁ ଦୀର୍ଘ ଅପେକ୍ଷିତ ଟ୍ରେନ୍ ଚଳାଚଳ ବାସ୍ତବରେ ପରିଣତ ହେବାକୁ ଯାଉଛି। ଆସନ୍ତା ୨୦ ଜୁନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧ ରେଳ ଷ୍ଟେସନରୁ ପ୍ରଥମ ଟ୍ରେନ୍ ଚଳାଚଳର ଶୁଭାରମ୍ଭ ହେବ। ଏହା ସହ ବୌଦ୍ଧ ଜିଲ୍ଲା ଦେଶର ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ ହେବ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଉଦ୍‌ଘାଟନ କରିବେ। ଏହି ଅବସରରେ ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ନବନିର୍ମିତ ରେଳପଥର ଉଦ୍‌ଘାଟନ ହେବ। ବୌଦ୍ଧ ଏବଂ ପୁରୁଣାକଟକରୁ ଦୁଇଟି ଟ୍ରେନ୍ ଏକାସାଥି ଗଡିବ ବୋଲି ଜଣାପଡ଼ିଛି।

ଏନେଇ ବୌଦ୍ଧ ରେଳ ଷ୍ଟେସନ ଏବେ ଭବ୍ୟ ଭାବରେ ସଜାଯାଉଛି। ଷ୍ଟେସନର ସୁନ୍ଦରୀକରଣ, ରାସ୍ତାରେ ସ୍ବାଗତ ତୋରଣ ସ୍ଥାପନ, ଅନ୍ୟାନ୍ୟ ଆନୁସଂଗିକ କାର୍ଯ୍ୟ ବେଗରେ ଚାଲିଛି। ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଆଇନ୍-ଶୃଙ୍ଖଳା କର୍ମଚାରୀ ମାନେ ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି।

ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଏହି ଅଂଶ ମଧ୍ୟରେ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦ କି.ମି. ରେଳପଥ ପୂର୍ଣ୍ଣ ହୋଇଥିବାବେଳେ, ମାତ୍ର ୭୫ କି.ମି. ରେଳ ରାସ୍ତା (ପୁରୁଣାକଟକ-ଦଶପଲ୍ଲା) ନିର୍ମାଣ ବାକି ରହିଛି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲା ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।