ରାଉରକେଲା: ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଚାଲୁଥିବା ‘ଇଣ୍ଡିଆ ୱାନ୍ ଏୟାର’ ବିମାନ ଦୁର୍ଘଟଣା ସମ୍ପର୍କିତ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି। Aircraft Accident Investigation Bureau (ଏଏଆଇବି) ପକ୍ଷରୁ ଏହି ରିପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଦାଖଲ କରାଯାଇଛି।

ତଦନ୍ତରୁ ପ୍ରକାଶ ପାଇଛି ଯେ, ରାଉରକେଲା ବିମାନବନ୍ଦରରୁ ପ୍ରାୟ ୫୫ କି.ମି. ଦୂରରେ ବିମାନରେ ଇନ୍ଧନ ମାତ୍ରା କମିଯିବାରୁ ଇଞ୍ଜିନ ସଠିକ୍‌ ଭାବେ କାମ କରିପାରିନଥିଲା। ପରିସ୍ଥିତି ଗମ୍ଭୀର ହେବା ସହ ପାଇଲଟ୍‌ ଓ କୋ-ପାଇଲଟ୍‌ ତତ୍କ୍ଷଣାତ୍‌ Mayday Call ଜାରି କରିଥିଲେ ଏବଂ ସୁରକ୍ଷିତ ଅବତରଣ ପାଇଁ ପ୍ରୟାସ କରିଥିଲେ।

ଯାତ୍ରୀମାନଙ୍କୁ ବଞ୍ଚାଇବା ପାଇଁ ପ୍ରଥମେ ବ୍ରାହ୍ମଣୀ ନଦୀ ଶଯ୍ୟାରେ ବିମାନକୁ ଅବତରଣ କରିବା ଯୋଜନା କରାଯାଇଥିଲେ ମଧ୍ୟ, ଉଚ୍ଚତା କମ୍‌ ଥିବାରୁ ସେଥିରେ ସଫଳତା ମିଳିନଥିଲା। ପରେ ପାଇଲଟ୍‌ ଖୋଲା ଜମିକୁ ବାଛି ଲାଠିକଟା ଅଞ୍ଚଳର ଗାଡ଼ିଆଟୋଲା ନିକଟରେ ଜରୁରୀ ଅବତରଣ କରାଇଥିଲେ। ଅବତରଣ ସମୟରେ ବିମାନଟି ଗଛ ଓ ବିଦ୍ୟୁତ୍‌ ତାରରେ ଧକ୍କା ଲାଗି କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ବିମାନର ନାକ୍‌ ଲ୍ୟାଣ୍ଡିଂ ଗିଅର ଛିଣ୍ଡିଯାଇଥିଲା ଏବଂ ମୁଖ୍ୟ ଲ୍ୟାଣ୍ଡିଂ ଗିଅର, ଇଞ୍ଜିନ ଓ ବ୍ଲେଡ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ବିମାନର ଦୁଇ ପାର୍ଶ୍ୱର ଡେଣା ମଧ୍ୟ ଭାଙ୍ଗିଯାଇଥିଲା। ତଥାପି ସୌଭାଗ୍ୟବଶତଃ ବିମାନରେ ଅଗ୍ନିକାଣ୍ଡ ଘଟିନଥିଲା।

ଏହାସହ ତଦନ୍ତ ଦଳ Cockpit Voice RecorderFlight Data Recorder ତଥ୍ୟକୁ ବିଶ୍ଳେଷଣ କରୁଛନ୍ତି, ଯାହା ଦୁର୍ଘଟଣାର ସଠିକ୍‌ କାରଣ ନିର୍ଣ୍ଣୟରେ ସହାୟକ ହେବ।

ଉଲ୍ଲେଖ୍ୟ ଯେ, ଗତ ଜାନୁଆରି ୧୦ ତାରିଖରେ ଏହି ବିମାନଟି ରାଉରକେଲା ପହଞ୍ଚିବା ପୂର୍ବରୁ ଲାଠିକଟା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାରେ କିଛି ଯାତ୍ରୀ ଓ ପାଇଲଟ୍‌ ଆହତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।