ବଲାଙ୍ଗୀର/ଦେଓଗାଁ/ତୁଷୁରା: ସମ୍ପର୍କ ହେଲା ଶତ୍ରୁତା, ଭାଇ ହେଲା ହତ୍ୟାକାରୀ। ସାନ ଭାଇଙ୍କୁ ହତ୍ୟା କରିବା ପାଇଁ ବଡ଼ଭାଇ ୫ ଲକ୍ଷ ଟଙ୍କାର ସୁପାରି ଦେଇଥିବା ଚାଞ୍ଚଳ୍ୟକର ତଥ୍ୟ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି। ଜମିବାଡ଼ି ଓ ଆର୍ଥିକ କାରଣକୁ ନେଇ ଜନ୍ମିଥିବା ଦ୍ୱେଷରୁ ଏହି ହତ୍ୟା ଷଡ଼୍ଯନ୍ତ୍ର ରଚାଯାଇଥିବା ପୁଲିସ ତଦନ୍ତରେ ଖୁଲାସା ହୋଇଛି।
ପୁଲିସ ସୂଚନା ଅନୁସାରେ, ତୁଷୁରା ଥାନା ଦେଉଳଗୁଡ଼ି ଗାଁର ପ୍ରସାଦୀ ଚରଣ ଥନାପତିଙ୍କ ଦୁଇ ପୁଅ ନବ ଥନାପତି ଓ ନଟରାଜ ଥନାପତି କିରାନା ବ୍ୟବସାୟ କରୁଥିଲେ। ନଟରାଜ ବ୍ୟବସାୟରୁ ଭଲ ଆୟ କରି ଜମି କିଣି ପରିବାରରୁ ଅଲଗା ରହିବା ଆରମ୍ଭ କରିଥିଲେ। ଏହି କଥାକୁ ବଡ଼ଭାଇ ନବ ସହି ପାରୁନଥିଲେ ଓ ଦୁଇ ଭାଇଙ୍କ ମଧ୍ୟରେ ଆର୍ଥିକ ବିବାଦ ଦିନକୁ ଦିନ ବଢ଼ି ଚାଲିଥିଲା।
ଫେବ୍ରୁଆରି ୫ ତାରିଖରେ ନଟରାଜଙ୍କ ବିବାହ ନିଶ୍ଚିତ ହୋଇଥିଲା ଓ ନିମନ୍ତ୍ରଣ ପତ୍ର ମଧ୍ୟ ଛପା ସରିଥିଲା। କିନ୍ତୁ ବିବାହ ପୂର୍ବରୁ ହିଁ ବଡ଼ଭାଇ ନବ ନିଜ ସାନ ଭାଇଙ୍କୁ ହତ୍ୟା କରାଇବା ପାଇଁ ଷଡ଼୍ଯନ୍ତ୍ର ରଚିଥିଲେ। ଡିସେମ୍ବର ଶେଷ ସପ୍ତାହରେ ମୁଣ୍ଡପଲା ଗାଁର କ୍ଷେତ୍ରମୋହନ ସୁନା ସହ ହତ୍ୟା ପାଇଁ ୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ଏହାର ଅଂଶ ଭାବେ ୬୦ ହଜାର ଟଙ୍କା ଅଗ୍ରିମ ମଧ୍ୟ ଦିଆଯାଇଥିଲା।
ଯୋଜନା ଅନୁଯାୟୀ, କ୍ଷେତ୍ରମୋହନ ଫୋନ୍ କରି ଜରୁରି କାମ ଥିବା କହି ନଟରାଜଙ୍କୁ ଡାକିଥିଲା। ପରେ ସହଯୋଗୀମାନଙ୍କ ସହ ମିଶି ତେଲନଦୀ ବ୍ରିଜ୍ ଉପରେ କଥାବାର୍ତ୍ତାର ବାହାନାରେ ତାଙ୍କୁ ଠେଲି ଦେଇଥିଲେ। ଘଟଣାସ୍ଥଳରେ ହିଁ ନଟରାଜଙ୍କ ମୃତ୍ୟୁ ହୋଇଥିଲା।
ଶବ ଉଦ୍ଧାର ପରେ ଗତ ୩ ତାରିଖରେ ବଡ଼ଭାଇ ନବ ନିଜେ ତୁଷୁରା ଥାନାରେ ଅଭିଯୋଗ ଦାଖଲ କରିଥିଲେ, ଯାହା ଆଧାରରେ ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ହେଲେ ସାଇବର୍ ଓ ଫରେନ୍ସିକ୍ ତଦନ୍ତ ସହ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିବା ପରେ ପୁଲିସ ନବଙ୍କୁ ଜେରା କରିଥିଲା। ଜେରା ବେଳେ ସମ୍ପୂର୍ଣ୍ଣ ହତ୍ୟା ଷଡ଼୍ଯନ୍ତ୍ରର ଖୁଲାସା ହୋଇଥିଲା।
ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ— ନବ ଥନାପତି, କ୍ଷେତ୍ରମୋହନ ସୁନା, ସାଗରପାଲିର ମିଳନ ବହିଦାର, ସାହାଜପାଣିର ମହାଦେବ ବାଗ, କୁଇକେଡ଼ାର ରଞ୍ଜିତ ମିଶ୍ର, ରେଙ୍ଗାଲିର ସାହିଲ ବଗର୍ତ୍ତି, ଟିଙ୍ଗୁରିପଡ଼ାର ମନୋଜ ସେଲ୍ମା ଏବଂ ତୁଷୁରା ଥାନା ସମଲେଶ୍ବରୀ ପଡ଼ାର ରାଜା କୁମ୍ଭାର। ପୁଲିସ ମାମଲାର ଆଗକୁ ତଦନ୍ତ ଜାରି ରଖିଛି।





