ଚାନ୍ଦିଲି: ଚାନ୍ଦିଲି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ପ୍ରଗତିକୁ ଜିଲ୍ଲାପାଳ ଡ. ମହେଶ୍ବର ସ୍ୱାଇଁ ସ୍ଥଳ ପରିଦର୍ଶନ କରି ତଦାରଖ କରିଛନ୍ତି। ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମାରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ସମ୍ପୃକ୍ତ ବିଭାଗ ଓ ଠିକା ସଂସ୍ଥାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ନବରଙ୍ଗପୁର, ପାପଡାହାଣ୍ଡି ଏବଂ କୋଷାଗୁମୁଡ଼ା ବ୍ଲକର ୪୦ଟି ଗ୍ରାମପଞ୍ଚାୟତର ମୋଟ ୧୫୯ଟି ଗାଁକୁ ପାଣି ଯୋଗାଣ ହେବ।
ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ଇଂ. ପ୍ରତୀକ କୁମାର ରାଉତ, ବିଭାଗୀୟ କର୍ମଚାରୀ, ଠିକାସଂସ୍ଥା ଜିଭିପିଆର ପ୍ରତିନିଧି ଓ କମ୍ପାନିର ଇଞ୍ଜିନିୟରମାନଙ୍କ ସହ ଜିଲ୍ଲାପାଳ ଜଳବିଶୋଧନ ପ୍ଲାଣ୍ଟର ଯାଞ୍ଚ କରିଥିଲେ। ଏହି ସମୟରେ ଅଧୀକ୍ଷକ ଯନ୍ତ୍ରୀ ଏକ ସ୍କିମାଟିକ୍ ଡାୟାଗ୍ରାମ ସାହାଯ୍ୟରେ ମେଗା ପାଇପ୍ ଜଳ ଯୋଗାଣ ଯୋଜନାର ପରିସର ଓ ପ୍ରଗତି ବିଷୟରେ ବିସ୍ତୃତ ତଥ୍ୟ ଦେଇଥିଲେ।
ଜିଲ୍ଲାପାଳ ସପଷ୍ଟ କହିଥିଲେ ଯେ ଆସନ୍ତା ଅଗଷ୍ଠ ମାସ ସୁଦ୍ଧା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ୧୫୯ଟି ଯାକ ଗାଁକୁ ନିଶ୍ଚିତ ଭାବରେ ପାଣି ପହଞ୍ଚାଇବାକୁ ପଡ଼ିବ। ବର୍ତ୍ତମାନ ୬୫ ପ୍ରତିଶତ ଶ୍ରମିକ ନିଯୁକ୍ତ ହେଇ କାମ ଚାଲିଥିବାରୁ କାର୍ଯ୍ୟ ଦେରି ହେଉଛି ବୋଲି ସେ ଉଲ୍ଲେଖ କରି, ଶତପ୍ରତିଶତ ଶ୍ରମିକ ନିଯୁକ୍ତ କରି କାମ ତ୍ୱରାନ୍ୱିତ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜଳବିଶୋଧନାଗାରକୁ ସଦା ସଫା ଓ ପରିଚ୍ଛନ୍ନ ରଖିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ପ୍ରକଳ୍ପ କାର୍ଯ୍ୟର ଯାଞ୍ଚ:
ପରେ ଜିଲ୍ଲାପାଳ ପାପଡାହାଣ୍ଡି ବଜାର ଅଞ୍ଚଳରେ ୟୁଟିଲିଟି କରିଡର ଉପଲବ୍ଧ ନଥିବା ଓ ଜାତୀୟ ରାଜପଥ (ଏନଏଚ) ଅନୁମତି ଅନୁଯାୟୀ କ୍ୟାରେଜୱେ ସହ ପାଇପଲାଇନ ବିଛାଇବା ସମ୍ଭବ ନ ହେବାରୁ ଗ୍ରହଣ କରାଯାଇଥିବା ଡାଇଭର୍ସନ କାର୍ଯ୍ୟକୁ ପରିଦର୍ଶନ କରିଥିଲେ। ଚାଲିଥିବା ଡାଇଭର୍ସନ ପାଇପଲାଇନ ବିଛାଇବା କାମକୁ ଯାଞ୍ଚ କରି, ଏହାକୁ ଗୋଟିଏ ମାସ ମଧ୍ୟରେ ସମାପ୍ତ କରିବାକୁ ଠିକାସଂସ୍ଥାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।





