ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ମୟୂରଭଂଜ ଗ୍ରାମପଞ୍ଚାୟତର କୁମୁଡ଼ାଶୋଳ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ନବମ ଶ୍ରେଣୀରେ ପଢୁଥିବା ୧୫ ବର୍ଷୀୟା ଛାତ୍ରୀ ମଧୁସ୍ମିତା ସୋରେନଙ୍କ ହୃତଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଲକ୍ଷ୍ମୀଧର ସୋରେନଙ୍କ କନ୍ୟା ମଧୁସ୍ମିତା ହଠାତ୍ “ମାଆ, ମୋ ଛାତି ଓ ମୁଣ୍ଡ ବହୁତ ବ୍ୟଥା ହେଉଛି” ବୋଲି କହି ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ମୃତ୍ୟୁ ଘୋଷଣାର ୮ ଘଣ୍ଟା ଅତିକ୍ରମ କରିଥିଲେ ମଧ୍ୟ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ ନ ହେବାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସୂଚନା ମତାବକ, ନାବାଳିକାଙ୍କ ମୃତ୍ୟୁ ଘୋଷଣା ପରେ ପ୍ରାୟ ୯ ଘଣ୍ଟା ପରେ ବାଦାମପାହାଡ଼ ପୁଲିସ ଶବ ପାଖକୁ ପହଞ୍ଚିଥିଲା। ପୁଲିସ ଦେରୀରେ ପହଞ୍ଚିବାରୁ ସମୟ ଅଭାବ ହେତୁ ସେହି ଦିନ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇପାରିଲା ନାହିଁ।

ଏହାକୁ ନେଇ ମୃତକାଙ୍କ ପରିବାର ଲୋକେ ଡାକ୍ତରଖାନାର ଅବ୍ୟବସ୍ଥା ଓ ପୁଲିସର ଦାୟିତ୍ୱହୀନତା ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଶବ ସହ ଡାକ୍ତରଖାନାରେ ହଇରାଣହରକତ ହେବାକୁ ପଡ଼ିଥିବାରୁ ପରିବାରରେ ଶୋକ ସହ ଅସନ୍ତୋଷ ଦେଖାଦେଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ, ପ୍ରଶାସନ ପକ୍ଷରୁ ସଠିକ୍ ତଦନ୍ତ ଓ ଦାୟିତ୍ୱ ନିର୍ଧାରଣ ଦାବି ଜୋର ଧରିଛି।