ଭୁବନେଶ୍ୱର/ଗୋପାଳପୁର, ୩୦।୧: ଗୋପାଳପୁର ବେଳାଭୂମି ମହୋତ୍ସବ–୨୦୨୬ର ଉଦ୍‌ଯାପନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ପାଇଁ ୪୯୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉପହାର ଦେଇଛନ୍ତି। ଏହି ଅବସରରେ ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିବାବେଳେ ୪୪୨ କୋଟି ଟଙ୍କାର ୬୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତି, ହଷ୍ଟେଲ ସୁବିଧା ବିକାଶ, ସଡ଼କ ନିର୍ମାଣ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅନ୍ତର୍ଭୁକ୍ତ ରହିଛି। ସେଥିସହ ୩୨ କୋଟି ଟଙ୍କା ବ୍ୟୟରେ ଗୋପାଳପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କାର୍ଯ୍ୟ ମଧ୍ୟ କରାଯିବ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ସୁନ୍ଦର ସମନ୍ୱୟ। ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଜାଗୃତ କରିବା ସହିତ ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି।

ଓଡ଼ିଆ ସାହିତ୍ୟ ପ୍ରତି ସମ୍ମାନ ସୂଚକ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ଉପେନ୍ଦ୍ର ଭଞ୍ଜ ଚେୟାର’ ପୁନଃସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ଚଳିତ ବର୍ଷରୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବ ଏବଂ ଆସନ୍ତା ମଇ ୧୬ରୁ ୭ ଦିନ ଧରି ଉତ୍ସବ ଆୟୋଜିତ ହେବ ବୋଲି ସେ ଘୋଷଣା କରିଛନ୍ତି।

କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଥମେ ସମୁଦ୍ର ଆଳତୀ କରିଥିଲେ। ପରେ ସେ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ଓ ପର୍ଯ୍ୟଟନ ଉନ୍ନତିରେ ଜିଲ୍ଲାର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ମହୋତ୍ସବ ସ୍ଥାନୀୟ କଳାକାର, କାରିଗର, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଯୁବବର୍ଗ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଜଣାଇଥିଲେ ଯେ, ପଟିସୋନପୁର ବେଳାଭୂମି ଲଗାତାର ତୃତୀୟ ଥର ପାଇଁ ‘ବ୍ଲୁ ଫ୍ଲାଗ୍‌’ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ପାଇଁ ଗର୍ବର ବିଷୟ। ଗୋପାଳପୁର ଓ ନୋଳିଆ ନୂଆଗାଁ ବେଳାଭୂମିକୁ ମଧ୍ୟ ଏହି ସ୍ୱୀକୃତି ପାଇଁ ପ୍ରୟାସ ଚାଲିଥିବା ସେ କହିଥିଲେ।

ସେହିପରି, ୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ କାମ କରାଯିବ। ଏହା ମାଧ୍ୟମରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି ପାଇବ ଏବଂ ପ୍ରାୟ ୫ ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଏହା ସହିତ ବାହୁଦା ଅଞ୍ଚଳରେ ୨୧,୫୦୦ କୋଟି ଟଙ୍କା ବ୍ୟୟରେ ନୂତନ ବୃହତ୍‌ ବନ୍ଦର ସ୍ଥାପନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାରୁ ବନ୍ଦର ଭିତ୍ତିକ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି।

ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାର ସଫଳତା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସଂସ୍କୃତି ଓ ଐତିହ୍ୟକୁ ସାଙ୍ଗ କରି ସମୃଦ୍ଧ ଓଡ଼ିଶା ଗଠନରେ ସମସ୍ତଙ୍କୁ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ।