କଟକ-ଜଗତପୁର, ୧୯।୨: କଟକ ଜିଲ୍ଲାର ଜଗତପୁର ଥାନା ଅଧୀନ ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ପଞ୍ଚାୟତରେ ଏକ ଦୁଃଖଦ ଅଘଟଣ ଘଟିଛି। ଘର ଭିତରେ ରଖାଯାଇଥିବା ବାଣରେ ହଠାତ୍ ବିସ୍ଫୋରଣ ଘଟି ମା’ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ମହାଜନପୁର ନାୟକସାହିର ଗୋବିନ୍ଦ ନାୟକ ଓରଫ ଠୁରିଆଙ୍କ ଘରେ ପ୍ରତିବର୍ଷ ଦୋଳଯାତ୍ରା ଅବସରରେ ବାଣ ପ୍ରସ୍ତୁତି ହୋଇଥାଏ। ଏବର୍ଷ ମଧ୍ୟ ବିପୁଳ ପରିମାଣର ବାଣ ଘରେ ସଞ୍ଚୟ କରାଯାଇଥିବା ସହ ନୂତନ ବାଣ ପ୍ରସ୍ତୁତି ଚାଲିଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗୋବିନ୍ଦ ନାୟକ ବଜାରକୁ ଯାଇଥିବା ବେଳେ ଘର ଭିତରେ ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ଘଟିଥିଲା।
ବିସ୍ଫୋରଣର ପ୍ରଭାବରେ ଘରର ଛାତ ଉଡ଼ିଯିବା ସହ ସିଢ଼ି ପାହାଚ ଭାଙ୍ଗିଯାଇଥିଲା। ଏହି ଘଟଣାରେ ଗୋବିନ୍ଦ ନାୟକଙ୍କ ପତ୍ନୀ ସୁଧାଂଶୁବାଳା, ବୋହୁ ପ୍ରଭାତୀ ଏବଂ ୩ ବର୍ଷୀୟା ନାତୁଣୀ ସ୍ଥିତିପ୍ରଜ୍ଞା ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସା ସମୟରେ ସ୍ଥିତିପ୍ରଜ୍ଞା ଓ ପ୍ରଭାତୀଙ୍କ ମୃତ୍ୟୁ ଘଟିଥିଲା। ସୁଧାଂଶୁବାଳାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି।
ଖବର ପାଇ ସାଲେପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ପାଗା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ ଶର୍ଟ ସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗି ପରେ ବାଣ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ତଥାପି ତଦନ୍ତ ଶେଷ ହେଲେ ଘଟଣାର ସ୍ପଷ୍ଟ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ଏହି ଦୁଃଖଦ ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି।





