ଅନୁଗୁଳ: ଅନୁଗୁଳରେ ଘଟିଥିବା ଏକ ବ୍ୟବସାୟୀଙ୍କୁ ୫୨ ଲକ୍ଷ ଟଙ୍କାର ସାଇବର ଠକେଇ ଘଟଣାର ତଦନ୍ତ କରିବା ସମୟରେ ପୁଲିସ ବାଲେଶ୍ୱରକୁ ଆଧାର କରି ଚାଲୁଥିବା ବଡ଼ ଏକ ଅପରାଧୀ ନେଟୱର୍କର ପର୍ଦ୍ଦାଫାଶ କରିଛି। ଏହାକୁ ‘ଜମତାରା ମୋଡେଲ୍’ରେ ଚାଲୁଥିବା ଅପରାଧ ଭାବେ ଚିହ୍ନଟ କରାଯାଇଛି।
ସାଇବର ଗ୍ୟାଙ୍ଗ୍ର ଟାର୍ଗେଟ୍ ହେଉଥିଲେ ବ୍ୟବସାୟୀ, ଅବସରପ୍ରାପ୍ତ ଅଧିକାରୀ, ବ୍ୟାଙ୍କ କର୍ମଚାରୀ ଓ ବୃଦ୍ଧମାନେ। ଏକାଧିକ ଟ୍ରେଡିଂ ଆପ୍ର ନାମରେ ଜାଲ ବିଛାଇ ସେମାନଙ୍କୁ ଆକର୍ଷିତ କରି, ପ୍ରତାରଣାରେ ପକାଇ ଲକ୍ଷାଧିକ ଟଙ୍କା ଠକୁଥିଲେ।
ଅନୁଗୁଳ ପୁଲିସ ଏହି ଘଟଣାରେ ୫ ଜଣକୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ସୋରୋରୁ, ୧ ଜଣ ଭଦ୍ରକରୁ ଓ ୧ ଜଣ ପଶ୍ଚିମବଙ୍ଗର ଦାର୍ଜିଲିଂରୁ। ଗିରଫକୃତମାନଙ୍କ ପାଖରୁ ୨.୨୮ ଲକ୍ଷ ଟଙ୍କା ନଗଦ, ଏକ ଦାମୀ କାର, ଏକାଧିକ ବ୍ୟାଙ୍କ ପାସବୁକ୍, ଚେକ୍, ସୁନାର ଚେନ୍ ଓ ଗୋଟିଏ ରୋଲେକ୍ସ ଘଣ୍ଟା ଜବତ କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ୍ପି ରାହୁଲ ଜୈନ କହିଛନ୍ତି, ଏହି ସାଇବର ଗ୍ୟାଙ୍ଗ୍ର ନେଟୱର୍କ ଓଡ଼ିଶାରୁ ଆରମ୍ଭ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଜମ୍ମୁ ପର୍ଯ୍ୟନ୍ତ ଛିଣାଇଥିବା ପ୍ରମାଣ ମିଳିଛି। ମାଷ୍ଟରମାଇଣ୍ଡ୍କୁ ଧରିବା ପାଇଁ ପୁଲିସ ଅଭିଯାନ ଜାରି ରଖିଛି।