ସୁକିନ୍ଦା: ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ କଅଁସ ପଞ୍ଚାୟତରେ ଆଦିମ ଜନଜାତି ବର୍ଗ ପାଇଁ ଆୟୋଜିତ ସ୍ୱତନ୍ତ୍ର ଜନସେବା ଶିବିର ଉଦ୍ଦେଶ୍ୟରୁ ବିପରୀତ ଚିତ୍ର ଦେଖାଇଛି। ପଞ୍ଚାୟତ ଅଫିସରେ ଆୟୋଜିତ ଏହି ଶିବିରରୁ ଟିକରପଡ଼ା ଗାଁର ଅଧିକାଂଶ ଜୁଆଙ୍ଗ ପରିବାର ସେବା ନମିଳିବାରୁ ଭୋକଶୋଷ ଓ ନିରାଶାରେ ଘରକୁ ଫେରିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଜନ୍ମ ପ୍ରମାଣପତ୍ର, ନୂଆ ଆଧାରକାର୍ଡ ପ୍ରସ୍ତୁତି, ଆଧାର ସଂଶୋଧନ, ଜାତି ଓ ବାସସ୍ଥାନ ପ୍ରମାଣପତ୍ର, ଭତ୍ତା ଏବଂ ରାସନ ଆବେଦନ ଆଶାରେ ଆସିଥିବା ଜୁଆଙ୍ଗ ଓ ମହ୍ଲାର ବର୍ଗର ପରିବାରମାନେ ୬ରୁ ୭ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ କୌଣସି କାମ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଟୁରି ଜୁଆଙ୍ଗ, ସୁରୁବାଲି ଜୁଆଙ୍ଗ, କୁନି ଜୁଆଙ୍ଗ, ସମ୍ବାରି ଜୁଆଙ୍ଗ, ସୂର୍ଯ୍ୟ ଜୁଆଙ୍ଗ, ମଲ୍ଲୀ ଜୁଆଙ୍ଗ, ସାବିତ୍ରୀ ଜୁଆଙ୍ଗ, ରଜନୀ ଜୁଆଙ୍ଗ, ଗୁଣ୍ଠେଇ ଜୁଆଙ୍ଗ ଓ ବାସନ୍ତୀ ଜୁଆଙ୍ଗ ପ୍ରମୁଖ ମହିଳାମାନେ ଏହି ଅଭିଯୋଗ କରିଛନ୍ତି।
ପାହାଡ଼ ଉପରେ ଅବସ୍ଥିତ ଟିକରପଡ଼ା ଗାଁରୁ ଏହି ମହିଳାମାନେ ପିଲାଛୁଆ କାଖେଇ ପ୍ରାୟ ୬ କିଲୋମିଟର ଚାଲିଚାଲି ସକାଳ ୧୦ଟା ସୁଦ୍ଧା ପଞ୍ଚାୟତ ଅଫିସରେ ପହଞ୍ଚିଥିଲେ। ହେଲେ ‘ମାଗଣା ସେବା’ ବୋଲି ପ୍ରଚାର ହୋଇଥିବା ସତ୍ତ୍ୱେ ଆବେଦନ ପାଇଁ ଜଣପିଛା ୧୩୦ ଟଙ୍କା ମାଗାଯାଇଥିବା ଅଭିଯୋଗ ଉଠିଛି। ଟଙ୍କା ନଥିବାରୁ ଗରିବ ପରିବାରମାନେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ଭୋକଶୋଷ ଓ ନିରାଶାରେ ଘରକୁ ଫେରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ଏହି ଶିବିରରେ କେବଳ ଜୁଆଙ୍ଗ ନୁହେଁ, ମହ୍ଲାର ବର୍ଗର ଅନେକ ପରିବାର ମଧ୍ୟ ସମାନ ଭାବେ ସେବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।
ସରପଞ୍ଚଙ୍କ ପ୍ରତିକ୍ରିୟା:
ଏ ସଂପର୍କରେ ସରପଞ୍ଚ ରାଜାରାଣୀ ଦେହୁରୀ କହିଛନ୍ତି ଯେ ଏଭଳି ଅଭିଯୋଗ ସମ୍ପର୍କରେ ସେ ଅବଗତ ନାହାନ୍ତି। ତେବେ ପ୍ରଶାସନ ପକ୍ଷରୁ ୨ ଦିନ ପୂର୍ବରୁ କେବଳ ଆଦିମ ଜନଜାତି (PVTG) ଜୁଆଙ୍ଗ ଓ ମହ୍ଲାର ବର୍ଗର ପ୍ରାୟ ୫୦ଟି ପରିବାର ପାଇଁ ବିନା ଶୁଳ୍କରେ ସେବା ଯୋଗାଇଦେବାକୁ ପ୍ରଚାର କରାଯାଇଥିଲା। କିନ୍ତୁ ବହୁ ସଂଖ୍ୟାରେ ଅନ୍ୟ ଆଶାୟୀ ଆଦିବାସୀ ପରିବାର ଆସିଯାଇଥିବାରୁ ସମସ୍ୟା ସୃଷ୍ଟି ହୋଇଥାଇପାରେ। ଯଦି ଅଭିଯୋଗ ସତ୍ୟ ଥାଏ, ତେବେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟିଙ୍କ ଦୃଷ୍ଟିଆକର୍ଷଣ କରି ଯଥୋଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।





