ଦିଗପହଣ୍ଡି, ୧୬/୧୨: ଅଞ୍ଚଳର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନୂଆଗଡ଼, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ସହ ଅନ୍ୟାନ୍ୟ ଗ୍ରାମଗୁଡ଼ିକରେ ଗତ କିଛି ଦିନ ଧରି ହାତୀ ଉପଦ୍ରବ ଚରମ ସୀମାକୁ ପହଞ୍ଚିଛି। ସନ୍ଧ୍ୟା ହେଲେ ଜନବସତି ଭିତରକୁ ହାତୀପଲ ପ୍ରବେଶ କରୁଥିବାରୁ ଲୋକେ ରାତିରେ ଘର ତାଟି କବାଟ ଖସିଯିବା ଭୟରେ ରହୁଛନ୍ତି ଏବଂ ଚଳାଚଳ କରିବାକୁ ମଧ୍ୟ ଆତଙ୍କିତ ହେଉଛନ୍ତି।
ଦିଗପହଣ୍ଡି ବନାଞ୍ଚଳର ପାଟପୁର ସେକ୍ସନ ଅନ୍ତର୍ଗତ ରତନେଇ ଜଙ୍ଗଲର ଶୁଳିଆ ପାହାଡ଼ ଅଞ୍ଚଳରେ ଦୀର୍ଘଦିନ ଧରି ରହୁଥିବା ୪ଟିକିଆ ହାତୀପଲ ସନ୍ଧ୍ୟା ସମୟରେ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଞ୍ଚଳ ଆଡ଼କୁ ମୁହାଁ ଦେଉଛି। ଫଳରେ ଧାନ, ମାଣ୍ଡିଆ ଓ ପନିପରିବା ଭଳି ଫସଲର ବ୍ୟାପକ କ୍ଷତି ଘଟୁଛି।
ଇନ୍ଦିରା ଆବାସ କଲୋନୀ ନିକଟରେ ଆର. ଦିଲି ରେଡ୍ଡୀଙ୍କ ବଗିଚାରେ ଥିବା କଦଳୀ, ଆମ୍ବ, ପଣସ ଗଛ ସହ ଧାନ ଗଦାକୁ ହାତୀପଲ ନଷ୍ଟ କରିଥିବା ଜଣାପଡ଼ିଛି। ଏଥିସହିତ ପାଣି ପମ୍ପ ସେଟ୍, ପାୱାର ଟ୍ରିଲର ଓ ଅନ୍ୟାନ୍ୟ କୃଷି ସରଞ୍ଜାମକୁ ମଧ୍ୟ ଦଳି ଚକଟି ନଷ୍ଟ କରାଯାଇଛି। ସେହିପରି ଦଣ୍ଡପାଣି ନାଇକଙ୍କ ଧାନ ଗଦା ମଧ୍ୟ ହାତୀପଲ ଖାଇ ଦେଇଥିବା ସୂଚନା ମିଳିଛି।
ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ କହିଛନ୍ତି ଯେ, ହାତୀ ଚଳପ୍ରଚଳ ସୂଚନା ମିଳିବା ସହ ବନ ବିଭାଗ ପକ୍ଷରୁ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସକାଳ ଓ ସନ୍ଧ୍ୟାବେଳେ ଜଙ୍ଗଲ ନିକଟକୁ ନ ଯିବା, ହାତୀଙ୍କ ଫଟୋ ଓ ଭିଡ଼ିଓ ଉତ୍ତୋଳନ ନ କରିବାକୁ ସତର୍କ କରାଯାଉଛି।
ହାତୀପଲକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ବନ ବିଭାଗର ହାତୀ ସ୍କ୍ୱାଡ୍, ତାଲିମପ୍ରାପ୍ତ ଟ୍ରାକର ଓ ପାଟପୁର–ଦିଗପହଣ୍ଡି ବନ କର୍ମଚାରୀଙ୍କ ସହଯୋଗରେ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଛି। ମଙ୍ଗଳବାର ଠାରୁ ହାତୀପଲ ପାଟପୁର ସେକ୍ସନ ଅନ୍ତର୍ଗତ ଦ୍ୱିତୀୟ ଢେପାଗୁଡ଼ା ଗ୍ରାମ ନିକଟ ରତନେଇ ଜଙ୍ଗଲରେ ଥିବା ଜଣାପଡ଼ିଛି।
ବନ୍ୟଜନ୍ତୁ ସୁରକ୍ଷା ଦୃଷ୍ଟିରୁ ବେଆଇନ ଭାବେ ବିଦ୍ୟୁତ ତାର ହୁକିଂ କରାଯାଇଥିବା ସ୍ଥାନଗୁଡ଼ିକୁ ବିଦ୍ୟୁତ ବିଭାଗ ସହଯୋଗରେ ହଟାଯାଉଛି। ବନ ବିଭାଗ ଓ ବିଦ୍ୟୁତ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ରେଞ୍ଜର ସୂଚନା ଦେଇଛନ୍ତି।
ହାତୀପଲ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀମାନେ ‘ଅନୁକମ୍ପା’ ଆପ୍ ମାଧ୍ୟମରେ ଆବେଦନ କଲେ ତଦନ୍ତ ପରେ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପା ମୂଳକ ସହାୟତା ଦିଆଯାଇଥିବା ପାଟପୁର ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି।





