ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଡାବୁଗାଁ ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଓ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ନିଜ ତିନି ବର୍ଷର ନିଷ୍ପାପ ପୁଅକୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗରେ ପିତାଙ୍କୁ ଛତିଶଗଡ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଛତିଶଗଡ ରାଜ୍ୟ କଣ୍ଡାଗାଁ ଜିଲ୍ଲା ପରସଗାଁ ଥାନା ଅନ୍ତର୍ଗତ ଗୁହାବରନ ଗ୍ରାମର ରୋହିତ ସେଠିଆଙ୍କ ତିନି ବର୍ଷର ପୁଅ ଗତ ନଭେମ୍ବର ୨୨ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ପରସଗାଁ ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଥିଲା।

ତଦନ୍ତ ସମୟରେ ପୁଲିସ ଶିଶୁର ପିତା ରୋହିତ ସେଠିଆଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା। ପଚରାଉଚୁରା ବେଳେ ରୋହିତ ନିଜ ପୁଅକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ସେ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଶିଶୁଟିର ବେକରେ ଗାମୁଛା ସହ ପଥର ବାନ୍ଧି, ଜଙ୍ଗଲ ମଧ୍ୟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିବା କଥା ପୁଲିସକୁ କହିଥିଲେ।

ଶନିବାର ଛତିଶଗଡ ପରସଗାଁ ଥାନା ପୁଲିସ, ଡାବୁଗାଁ ପୁଲିସ, ସିଂସାରି ବନ କର୍ମଚାରୀ ଓ ଉମରକୋଟ ଅଗ୍ନିଶମ ବିଭାଗର ସହଯୋଗରେ ସୀମାନ୍ତ ସିଂସାରି ଫାଣ୍ଡି ଅନ୍ତର୍ଗତ ଓଲମାଗୁଡା ଜଙ୍ଗଲର ଏକ ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା।

ମୃତଦେହ ଉଦ୍ଧାର ବେଳେ ଶିଶୁଟିର ଗୋଡ଼ ବନ୍ଧା ଥିବା ସହ ବେକରେ ଗାମୁଛା ଓ ପଥର ବାନ୍ଧା ହୋଇଥିବା ଦେଖାଯାଇଥିଲା। ଏହି ଘଟଣା ସାରା ଅଞ୍ଚଳରେ ଭୟ ଓ ଆକ୍ରୋଶ ସୃଷ୍ଟି କରିଛି।