ଭଦ୍ରକ, ତାରିଖ:

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଭଦ୍ରକ ସହରର ମୁଖ୍ୟ ରାସ୍ତାକୁ ‘ଅଟଳ ମାର୍ଗ’ ନାମରେ ନାମକରଣ କରାଯାଇଛି। ଆପର୍ତ୍ତିବିନ୍ଧା ଛକରୁ ଶନି ମନ୍ଦିର ପର୍ଯ୍ୟନ୍ତ ଏହି ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ଅବସରରେ ଆୟୋଜିତ ଶିଳାନ୍ୟାସ ଓ ଉଦଘାଟନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବରେଣ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତା ଉନ୍ନତି ପ୍ରକଳ୍ପର ଉଦଘାଟନ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ, ଭଦ୍ରକ ସହରର ମୁଖ୍ୟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସମସ୍ତଙ୍କ ପାଇଁ ଏକ ଆନନ୍ଦଦାୟକ ଦିନ। ‘ଅଟଳ ମାର୍ଗ’ ନାମକରଣ ଭଦ୍ରକବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ। ଅଟଳ ବିହାରୀ ବାଜପେୟୀ ଦେଶରେ ରାସ୍ତା ସଂଯୋଗୀକରଣର ମୂଳ ଶିଳ୍ପୀ ଥିଲେ ବୋଲି ସେ ସ୍ମରଣ କରିଥିଲେ।

ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସର୍ବାଙ୍ଗୀଣ ବିକାଶ ପାଇଁ ନିରନ୍ତର ପ୍ରୟାସ ଚାଲିଛି। ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଭଦ୍ରକ ଜିଲ୍ଲାରେ ବହୁମୁଖୀ ବିକାଶ କାର୍ଯ୍ୟ ହେବ। ଏହି ରାସ୍ତା ଉନ୍ନତି ପରେ ଭଦ୍ରକ ସହର ଏକ ନୂଆ ରୂପ ନେବ ଏବଂ ରେଳ ଷ୍ଟେସନ୍‌ ସହିତ ଅନ୍ୟାନ୍ୟ ଢାଞ୍ଚାଗତ ବିକାଶ କାର୍ଯ୍ୟ ମଧ୍ୟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ, ଭଦ୍ରକ ସହରର ‘ଲାଇଫ୍‌ ଲାଇନ୍’ ଭାବେ ପରିଚିତ ଏହି ରାସ୍ତା ଆଗାମୀ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ନୂଆ ଆକୃତି ନେବ। ଏହି ରାସ୍ତାର ନବକଳେବର ପାଇଁ ୧୭ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ସେ ସୂଚନା ଦେଇଥିଲେ। ଭଦ୍ରକ ସହରକୁ ସୁନ୍ଦର ଓ ସୁବ୍ୟବସ୍ଥିତ କରିବାରେ ଏହା ଏକ ମୂଳଭୂତ ପଦକ୍ଷେପ ବୋଲି ସେ କହିଥିଲେ।

ଏହି ସଭାରେ ଭଦ୍ରକ ବିଧାୟକ ସୀତାଶୁ ଶେଖର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସହର ଉନ୍ନତି ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଗୁଡ଼ିକୁ ବର୍ତ୍ତମାନ ସରକାର ପୂରଣ କରୁଛନ୍ତି। ରାସ୍ତା ପ୍ରଶସ୍ତିକରଣ ପାଇଁ ଯେଉଁ ଦୋକାନୀମାନେ ପ୍ରଭାବିତ ହେଉଛନ୍ତି, ସେମାନଙ୍କୁ ପୁରୁଣା ବସ୍‌ଷ୍ଟାଣ୍ଡ ଓ ଚରମ୍ପା ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଦୋକାନ ଘର ନିର୍ମାଣ କରି ଥଇଥାନ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ। ଆଗାମୀ ଦିନରେ ଭଦ୍ରକ ସହର ବିକାଶର ଏକ ନୂଆ ଦୃଶ୍ୟ ଦେଖିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଦତ୍ତ ସହ ଅନ୍ୟାନ୍ୟ ଅଧିକାରୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।