ରାଉରକେଲା/ବନ୍ଧମୁଣ୍ଡା: ରାଉରକେଲା ରେଲୱେ ଷ୍ଟେସନ୍‌କୁ କେନ୍ଦ୍ର କରି ନିଶାଦ୍ରବ୍ୟ ଚାଲାଣ ବଢ଼ୁଥିବାବେଳେ ପୁଲିସ ଓ ସୁରକ୍ଷା ଏଜେନ୍ସିମାନେ ଏକ ବଡ଼ ଅପରେସନ୍‌ରେ ୨୬ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ କରିଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳର ଶୁଭମ କୁମାର ଦୁବେ, କନିଷ ମିଶ୍ର ଏବଂ ବିହାରର ସହରସାର ଭରତ କୁମାର। ସେମାନଙ୍କ ପାଖରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ବୋଲି ଅନୁମାନ କରାଯାଇଛି।

ସୂଚନା ଅନୁଯାୟୀ, ଏହି ତିନିଜଣ ଏପ୍ରିଲ ୯ରେ ବୋକାରୋରୁ ସମ୍ବଲପୁର ପହଞ୍ଚିଥିଲେ। ସେଠାରେ ‘ପ୍ରୀତି’ ନାମକ ଜଣେ ମହିଳାଙ୍କଠାରୁ ଗଞ୍ଜେଇ ଭର୍ତ୍ତି ୬ଟି ପ୍ୟାକେଟ୍‌ ନେଇ କୁର୍ଲା-ହାୱଡ଼ା ଏକ୍ସପ୍ରେସ୍‌ରେ ରାଉରକେଲା ଆସିଥିଲେ।

ଶୁକ୍ରବାର ସକାଳେ ଆର୍‌ପିଏଫ୍‌, ସିଆଇବି ଏବଂ ରାଉରକେଲା ଅବକାରୀ ମୋବାଇଲ୍‌ ୟୁନିଟ୍‌ର ଯୁକ୍ତ ଚଢ଼ାଉରେ ଷ୍ଟେସନ୍‌ ନିକଟ ହନୁମାନ ମନ୍ଦିର ପାଖରେ ସନ୍ଦିଗ୍ଧ ଅବସ୍ଥାରେ ଦୁଇଟି ଟ୍ରଲି ବ୍ୟାଗ୍‌ ସହ ଠିଆ ଥିବା ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା। ପରେ ତଲାଶି କରିବାକୁ ସେମାନଙ୍କ ପାଖରୁ ବଡ଼ ପରିମାଣର ଗଞ୍ଜେଇ ଜବତ ହୋଇଥିଲା।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇକୁ ବସ୍‌ ମାଧ୍ୟମରେ ବୋକାରୋକୁ ନେଇ ନୀତିଶ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପହଞ୍ଚାଇବା ଯୋଜନା ଥିଲା।

ଏନେଇ ରାଉରକେଲା ଅବକାରୀ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ତିନିଜଣଙ୍କୁ କୋର୍ଟରେ ପ୍ରସ୍ତୁତ କରାଯାଇଛି। ଘଟଣାରେ ଆହୁରି କେହି ଜଡିତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।