ନନ୍ଦପୁର: କୋରାପୁଟ ଜିଲ୍ଲାରେ ପୁଣିଥରେ ପୁଲିସ ମଦକ ବିରୋଧୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ପାଡୁଆ ଥାନା ଅନ୍ତର୍ଗତ ହାତିବାରି ପଞ୍ଚାୟତର ଦେବତୀଗୁଡା ଗ୍ରାମ ପାର୍ଶ୍ୱରେ ଥିବା ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଗୁଇନ୍ଦା ତଥ୍ୟ ଆଧାରରେ ବୁଧବାର ରାତିରେ ଚଢ଼ାଉ କରାଯାଇଥିଲା। ଥାନାଧିକାରୀ ଅଶୋକ କୁମାର ବିଶୋଇ ଓ ଏସ୍‌ଆଇ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଟିମ୍ ଦେବତୀଗୁଡା ଜଙ୍ଗଲକୁ ଘେରାଉ କରିଥିଲା। ସେଠାରେ ଶତାଧିକ ବସ୍ତାରେ ଲୁଚାଇ ରଖାଯାଇଥିବା ଗଞ୍ଜେଇକୁ ପୁଲିସ ଜବତ କରିଥିଲା।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିବା ବେଳେ ମୋଟ ୨୨୧୯ କିଲୋଗ୍ରାମ ଗଞ୍ଜେଇ ମିଳିଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହାଯାଇଛି।

ଚଢ଼ାଉ ସମୟରେ ଚାଲାଣକାରୀମାନେ ପୁଲିସକୁ ଚକମା ଦେଇ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଥିଲେ। ଏନେଇ ପାଡୁଆ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏସ୍‌ଆଇ ଦୀପକ ବାରିକ ତଦନ୍ତ ଜାରି ରଖିଛନ୍ତି।

ଏସ୍‌ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ ପୁଲିସ ଟିମ୍‌ର କାର୍ଯ୍ୟକୁ ପ୍ରଶଂସା କରିଥିବା ସହିତ ଶୀଘ୍ର ଚାଲାଣ ଚକ୍ରରେ ଜଡିତ ଲୋକମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।