କଟକ, ୧୦ ନଭେମ୍ବର: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟାନକ ବିସ୍ଫୋରଣ ପରେ ସମଗ୍ର ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି। ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି।

ଡିଜିପି ଖୁରାନିଆ ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ତୁରନ୍ତ କଟକ ଗସ୍ତ କରି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେ କଟକ ଡିସିପିଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ରାଜ୍ୟର ସମସ୍ତ ପ୍ରମୁଖ ଓ ସମ୍ବେଦନଶୀଳ ସ୍ଥାନରେ ଅଧିକ ସଜାଗ ରହି ସୁରକ୍ଷା ବୃଦ୍ଧି କରାଯିବ।

ସେ ଲୋକମାନଙ୍କୁ ସଚେତନ ଓ ସହଯୋଗୀ ହେବାକୁ ଅପିଲ୍ କରି କହିଛନ୍ତି, “କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବସ୍ତୁ ଦେଖିଲେ ତୁରନ୍ତ ପୋଲିସ୍ କଣ୍ଟ୍ରୋଲ୍ ରୁମକୁ ସୂଚନା ଦିଅନ୍ତୁ।”

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଘଟଣା ପରେ ଡିଜିପିଙ୍କ ସହ କଥା ହୋଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବାଲିଯାତ୍ରା ଚାଲିଥିବାରୁ ପୁଲିସକୁ ସଜାଗ ରହି ସମସ୍ତ ସ୍ଥାନରେ ସତର୍କ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।

ସେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ନିହତ ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରି ଏହି ଅମାନବୀୟ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି —

“ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ ଓ କରିବି ନାହିଁ।”