ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ଼ ପଞ୍ଚାୟତ ୧ ନମ୍ବର ୱାର୍ଡ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ଦେବାରୁ ଦେଢ଼ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଗୁରୁତର ଅଭିଯୋଗ ଉଠିଛି। ଏହି ଘଟଣାକୁ ନେଇ ଆଜି ସୁକିନ୍ଦା ଥାନାରେ ଅଭିଯୋଗ ରୁଜୁ କରାଯାଇଛି।
ସାପୁଆପଦା ବସ୍ତିର ଆଦିବାସୀ ଦମ୍ପତି ମୁକ୍ତା ଜାମୁଦା ଓ ମଟାଇ ଜାମୁଦା ଅଭିଯୋଗ କରିଛନ୍ତି ଯେ, ଦାୟିତ୍ୱରେ ଥିବା ଏଏନ୍ଏମ୍ଙ୍କ ଭୁଲ ଟିକା ପ୍ରୟୋଗରୁ ତାଙ୍କ ତୃତୀୟ ସନ୍ତାନ ଶ୍ରୀକାନ୍ତର ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ନିର୍ଦ୍ଧାରିତ ଟିକାକରଣ ଦିନରେ ଗତକାଲି ଦମ୍ପତି ତାଙ୍କ ଶିଶୁକୁ ଟିକା ଦେବା ପାଇଁ ସରକାରୀ ସବସେଣ୍ଟରକୁ ଆଣିଥିଲେ। ସେ ସମୟରେ ଶିଶୁର ଓଜନ ୨.୭ କିଲୋଗ୍ରାମ ଥିଲା ଏବଂ ସ୍ୱାସ୍ଥ୍ୟାବସ୍ଥା ସାଧାରଣ ଥିଲା। ଦାୟିତ୍ୱରେ ଥିବା ଏଏନ୍ଏମ୍ ଚିନ୍ମୟୀ ମହାନ୍ତ ଶିଶୁକୁ ପୋଲିଓ (ରୋଟା) ବୁନ୍ଦା ଦେଇଥିଲେ।
ଅଭିଯୋଗ ଅନୁସାରେ, ଶିଶୁର ଡାହାଣ ହାତରେ ଆଇପିଭି, ବାମ ଜଙ୍ଘରେ ପିସିଭି ଏବଂ ଡାହାଣ ଜଙ୍ଘରେ ପେଣ୍ଟା ଇଞ୍ଜେକ୍ସନ ଦିଆଯାଇଥିଲା। ଟିକା ଦିଆଯାଇବା ପରେ କିଛି ସମୟ ମଧ୍ୟରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଅବନତି ହୋଇଯାଇଥିଲା।
ପରିବାର ପକ୍ଷରୁ ତୁରନ୍ତ ଶିଶୁକୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ, ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ପରିବାର ଓ ସଂପର୍କୀୟମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଏହି ଘଟଣାକୁ ନେଇ ସୁକିନ୍ଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ଶିଶୁର ଶବକୁ ବ୍ୟବଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବାବେଳେ, ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।





