ଭୁବନେଶ୍ୱର,୫।୧୦: କଟକ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରବିବାର ସଂଧ୍ୟା ୭ଟାରୁ ସୋମବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ—ଯଥା ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ସ୍ନାପ୍ଚାଟ୍ ଉପରେ ୨୪ ଘଣ୍ଟିଆ ନିଷେଧାଜ୍ଞା ଜାରି କରାଯାଇଛି। ଗୃହ ବିଭାଗ ପକ୍ଷରୁ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ଅସ୍ଥାୟୀଭାବେ ବନ୍ଦ କରାଯାଇଛି।
ସମ୍ପ୍ରତି ସହରରେ ହୋଇଥିବା ଗୋଷ୍ଠୀ ବିଶୃଙ୍ଖଳା ଘଟଣା ପରେ ଏହି ସିଦ୍ଧାନ୍ତ ନିଆଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ବିଶେଷ ଦଳ ଗଠନ କରିଛି ଓ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରିବା ସହିତ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରି କହିଛନ୍ତି, “କଟକ ହେଉଛି ଭାଇଚାରାର ଅନନ୍ୟ ନିଦର୍ଶନ। କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରର ଶାନ୍ତି ଭଙ୍ଗ ହେଉଛି, ସରକାର ସେମାନଙ୍କ ବିରୋଧରେ ଆଇନସଂଗତ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ କରିବ।”
ବିପକ୍ଷ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରି ସମସ୍ତଙ୍କୁ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ପ୍ରଶାସନ ଏବେ ସହରରେ ଶାନ୍ତି ପୁନଃସ୍ଥାପନ ଓ ସାଧାରଣ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବା ଉଦ୍ୟମରେ ରହିଛି।