ଯାଜପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ଫେବ୍ରୁଆରି ୩ ତାରିଖ ଯାଜପୁର ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ ‘ବ୍ଲୁ ବୁକ୍’ ଅନୁଯାୟୀ, ଜିଲ୍ଲାପାଳ ଅମ୍ବର କୁମାର କର ଭାରତୀୟ ନାଗରିକ ସୁରକ୍ଷା ସଂହିତାର ସେକ୍ସନ ୧୬୩ ଅଧୀନରେ ପ୍ରଦତ୍ତ କ୍ଷମତା ବ୍ୟବହାର କରି ଯାଜପୁରର କିଛି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ’ ବା ‘ଡ୍ରୋନ୍‌ ମୁକ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି।

ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷିତ ଏୟାର ସ୍ପେସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧ ଫେବ୍ରୁଆରି ୨୦୨୬ (ରବିବାର) ସକାଳ ୬ଟାରୁ ୩ ଫେବ୍ରୁଆରି ୨୦୨୬ (ମଙ୍ଗଳବାର) ଦିନ ୧ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିବିଶେଷ, ଗଣମାଧ୍ୟମ ସଂସ୍ଥା କିମ୍ବା ପ୍ରାଇଭେଟ୍ ସଂସ୍ଥାଙ୍କ ଦ୍ୱାରା ଡ୍ରୋନ୍‌, ପାରାଗ୍ଲାଇଡର, ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ୍‌ ଭଳି ଉଡନ୍ତା ଉପକରଣ ବ୍ୟବହାର ଉପରେ କଡା ନିଷେଧାଦେଶ ଜାରି କରାଯାଇଛି।

ପ୍ରଶାସନ ଭବନ ପଡିଆ ହେଲିପ୍ୟାଡର ୩ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳ, ନରସିଂହ ଚୌଧୁରୀ କଲେଜ ହେଲିପ୍ୟାଡର ୩ କିମି ଅନ୍ତର୍ଭୁକ୍ତ ଅଞ୍ଚଳ, ବିରଜା ମନ୍ଦିର ପରିସର, ହେଲିପ୍ୟାଡରୁ ବିରଜା ମନ୍ଦିର ଯାଏଁ ରାସ୍ତା, ସର୍କିଟ ହାଉସ ଓ ଭିଭିଆଇପିଙ୍କ ଅନ୍ୟାନ୍ୟ ରହଣି ସ୍ଥଳରେ ଏହି ନିୟମ ଲାଗୁ ହେବ।

ଯାଜପୁର ଆରକ୍ଷୀ ଅଧିକ୍ଷକ ଏବଂ ରାଷ୍ଟ୍ରପତିଙ୍କ ସେକ୍ରେଟାରିଏଟ୍‌ର ପୂର୍ବ ଅନୁମତି ବିନା କୌଣସି ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରାଯିବ ନାହିଁ। ନିଷିଦ୍ଧ ଅବଧି ମଧ୍ୟରେ ଯଦି କୌଣସି ଅନଧିକୃତ ଉଡନ୍ତା ବସ୍ତୁ ଚିହ୍ନଟ ହୁଏ, ତେବେ ସଂପୃକ୍ତ ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କ୍ରିମିନାଲ୍‌ ପ୍ରୋସିଡିଂ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

ତେବେ ଏହି ନିଷେଧାଦେଶରୁ ଭାରତୀୟ ବାୟୁସେନା, ଭାରତୀୟ ସ୍ଥଳସେନା ଓ ରାଷ୍ଟ୍ରପତିଙ୍କ ଗସ୍ତରେ ବ୍ୟବହୃତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିମାନ ଓ ହେଲିକପ୍ଟରକୁ ବାଦ୍‌ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ମହାମହିମ ରାଷ୍ଟ୍ରପତି ତାଙ୍କ ଯାଜପୁର ଗସ୍ତ ସମୟରେ ମାଆ ବିରଜା ମନ୍ଦିରରେ ଦେବୀଙ୍କ ଦର୍ଶନ ସହ ନାଭିଗୟାରେ ପିଣ୍ଡଦାନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି।