ଖୋର୍ଦ୍ଧା: ଖୋର୍ଦ୍ଧା ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଦୀର୍ଘ ସମୟ ଧରି ବ୍ୟାପିଥିବା ଜଣ୍ଡିସ୍ ରୋଗର ମୂଳ କାରଣ ସାମ୍ନାକୁ ଆସିଛି। ବିଦ୍ୟାଳୟର ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହୃତ ଓଭରହେଡ୍ ଟାଙ୍କି ଏବଂ ରୋଷେଇଶାଳାରୁ ଜଣ୍ଡିସ୍ ସମ୍ବନ୍ଧୀୟ ଭୂତାଣୁ ଚିହ୍ନଟ ହୋଇଥିବା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ କୁମାର ମିତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଓଭରହେଡ୍ ଟାଙ୍କିରୁ ଦୂଷିତ ଜଳ ବିଦ୍ୟାଳୟର ରୋଷେଇଶାଳାକୁ ପହଞ୍ଚିଥିଲା। ଏହି ଜଳ ବ୍ୟବହାର କାରଣରୁ ୮୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ଦୀର୍ଘ ସମୟ ଧରି ଏତେ ବଡ଼ ପରିମାଣରେ ସଂକ୍ରମଣ ହେବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ସମୟରେ ଚିହ୍ନଟ କରିପାରିନଥିବାରୁ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।
ପ୍ରାୟ ଅଢେଇ ମାସ ତଳୁ ନବୋଦୟ କ୍ୟାମ୍ପସରେ ଜଣ୍ଡିସ୍ ଧୀରେଧୀରେ ବ୍ୟାପିଥିଲା। ପ୍ରଥମେ କିଛି ଛାତ୍ରଛାତ୍ରୀ ଆକ୍ରାନ୍ତ ହେଉଥିବା ବେଳେ, ପରେ ସଂଖ୍ୟା ବଢ଼ି ୧୦-୨୦ ଜଣ ପର୍ଯ୍ୟନ୍ତ ପହଞ୍ଚିଥିଲା। ତଥାପି ବିଦ୍ୟାଳୟ ପକ୍ଷରୁ କୌଣସି ଦୃଢ଼ ପ୍ରତିରୋଧକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି।
ବିଦ୍ୟାଳୟ ପରିସରରେ ୧୨ରୁ ଅଧିକ ପାଣି ଟାଙ୍କି, ଓଭରହେଡ୍ ଟାଙ୍କି ଓ ସମ୍ପ ଥିବା ବେଳେ, ନିୟମ ଅନୁସାରେ ସମୟ ସମୟରେ ସଫେଇ, ବ୍ଲିଚିଂ ପାଉଡର ବ୍ୟବହାର ଓ ଜଳ ନମୁନା ପରୀକ୍ଷଣ କରିବା କଥା। କିନ୍ତୁ ସେହି ନିୟମ ଠିକ୍ଭାବେ ପାଳନ ହୋଇଥିଲା କି ନାହିଁ, ସେନେଇ ଗଭୀର ସନ୍ଦେହ ପ୍ରକାଶ ପାଇଛି।
ଘଟଣା ଗୁରୁତର ହେବା ପରେ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇ କ୍ୟାମ୍ପସର ପାଞ୍ଚଟି ଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ଲାବୋରେଟରୀକୁ ପଠାଇଥିଲା। ସେଥିରୁ ଦୁଇଟି ନମୁନା ପଜିଟିଭ୍ ଆସିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ୫୬୦ ଜଣ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଛି। ଅଭିଭାବକମାନେ ନିଜ ନିଜ ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିବା ବେଳେ, କିଛି ଛାତ୍ରଛାତ୍ରୀଙ୍କ ଶରୀରରେ ଭୂତାଣୁ ଚିହ୍ନଟ ହେବା ଆରମ୍ଭ ହୋଇଛି। ଏହାକୁ ଦେଖି ଆଗାମୀ ଦିନରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।





