କୋରାପୁଟ (ଜୟପୁର):

କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ କଲୋନିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମାନସିକ ଭାବେ ଅସ୍ୱସ୍ଥ ମହିଳା ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ସାହିବାସିନ୍ଦାଙ୍କ ତୁରନ୍ତ ହସ୍ତକ୍ଷେପରେ ଝିଅର ଜୀବନ ରକ୍ଷା ପାଇଛି।

ସୂଚନା ଅନୁଯାୟୀ, ଉକ୍ତ ବିଧବା ମହିଳା ଇରିଗେସନ କଲୋନିର ଏକ ବସ୍ତି ଅଞ୍ଚଳରେ ନିଜ ଦୁଇ ପୁଅ ଓ ଝିଅ ସହ ବସୋବାସ କରୁଥିଲେ। ଗତ କିଛି ଦିନ ଧରି ସେ ଘରେ ତନ୍ତ୍ର-ମନ୍ତ୍ର ସାଧନା କରୁଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିଲା। ତାଙ୍କ ଆଚରଣ ଅସ୍ୱାଭାବିକ ଥିବାରୁ ସାହିବାସିନ୍ଦାମାନେ ମଧ୍ୟ ତାଙ୍କୁ ପ୍ରତିବାଦ କରିବାକୁ ଡରୁଥିବା କୁହାଯାଉଛି।

ଅଭିଯୋଗ ଅନୁସାରେ, ମହିଳା ଜଣକ କାଳୀ ସାଧନା କରୁଥିବା ବେଳେ ତାଙ୍କ ଝିଅ ଚର୍ଚ୍ଚ ଯିବା ଓ ବାଇବେଲ ପଢ଼ିବାକୁ ନେଇ ମାଆଙ୍କ ରୋଷର ସମ୍ମୁଖୀନ ହେଉଥିଲା। ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଝିଅଟିର ଚିତ୍କାର ଶୁଣି ସାହିବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଯାଇଥିଲେ। ସେଠାରେ ଝିଅଟି ଅଚେତ ଅବସ୍ଥାରେ ପଡ଼ିଥିବା ସହ ତାଙ୍କ ହାତପାଉଁ ମୋଡ଼ା ହୋଇଥିବା ଦେଖିଥିଲେ।

ତୁରନ୍ତ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇ ନାବାଳିକାକୁ ଉଦ୍ଧାର କରି ପୁଲିସ ହସ୍ତାନ୍ତର କରିଥିଲେ। ଝିଅର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଥିବା ଜଣାପଡ଼ିଛି।

ସାହିବାସିନ୍ଦାଙ୍କ ଆଶଙ୍କା ଓ ଦାବି

ସ୍ଥାନୀୟ ଲୋକଙ୍କ ମତରେ, ଧାର୍ମିକ ମତଭେଦ ହିଁ ଏହି ବଳି ଉଦ୍ୟମର ମୂଳ କାରଣ ହୋଇପାରେ। ସାହିରେ ଅନେକ ପିଲାମାନଙ୍କ ଯାତାୟାତ ଥିବାରୁ ଏପରି ମାନସିକ ଅବସ୍ଥାରେ ଥିବା ମହିଳା ଦ୍ୱାରା ଭବିଷ୍ୟତରେ ଆଉ କୌଣସି ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ମହିଳାଙ୍କୁ ଉକ୍ତ ଅଞ୍ଚଳରୁ ସ୍ଥାନାନ୍ତର କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ପୁଲିସକୁ ଦାବି କରାଯାଇଛି।

ପୁଲିସ ପକ୍ଷରୁ ଘଟଣାଟିକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।