ଭୁବନେଶ୍ବର: ଗରିବି ଓ ବାଧାବିଘ୍ନକୁ ଜିତି, ଖୋର୍ଦ୍ଧାବାଣପୁର ମୁଦୁଲିଡିହ ଗାଁର ଶୁଭମ୍ ଶବର (୧୯) ନିଜ ସ୍ବପ୍ନକୁ ସତ କରିଛନ୍ତି। ଦାଦନ୍ ଶ୍ରମିକ ଭାବେ ବେଙ୍ଗାଲୁରୁରେ କାମ କରୁଥିବା ଶୁଭମ୍ ବର୍ତ୍ତମାନ ଏମକେସିଜି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିବା ପାଇଁ ନାମ ଲେଖାଇଛନ୍ତି।

ଶୁଭମ୍ ପ୍ରଥମେ ଗ୍ରାମର ସରକାରୀ ବିଦ୍ୟାଳୟରେ ପଢ଼ି ୧୦ମ୍ ପାସ୍ କରି, ତା’ପରେ ଭୁବନେଶ୍ବରର ବିଜେବି କଲେଜରୁ ଯୁକ୍ତଦୁଇ ପାସ୍ କରିଥିଲେ। ପରେ, ଶିକ୍ଷକମାନଙ୍କ ପ୍ରେରଣାରେ ସେ NEET ପାଇଁ ବ୍ରହ୍ମପୁରରେ ଏକ ବର୍ଷ ପ୍ରସ୍ତୁତି କଲେ। ପରୀକ୍ଷା ଦେଇ ଘରକୁ ଫେରିଲାପରେ ପରିବାରର ସମସ୍ୟାରେ ବେଙ୍ଗାଲୁରୁକୁ ଯାଇ ଦାଦନ୍ କାମ କରୁଥିଲେ।
ସେଥିରେ କାମ କରିବା ସମୟରେ ତାଙ୍କୁ ଖୁସିର ଖବର ମିଳିଲା—ସେ NEETରେ ଭଲ ରାଙ୍କ୍ ପାଇଛନ୍ତି ଏବଂ ଏମକେସିଜିରେ MBBS ପାଇଁ ଯୋଗ୍ୟ ହୋଇଛନ୍ତି। ପ୍ରଥମ ପ୍ରୟାସରେ ସଫଳତା ମିଳିବାରୁ ସେ ଭାବପ୍ରବଣ ହୋଇଥିଲେ।
ଶୁଭମ୍ କହିଛନ୍ତି, “ଭବିଷ୍ୟତରେ ଡାକ୍ତର ହୋଇ ନିଜ ଗାଁର ସ୍ବାସ୍ଥ୍ୟ ସମସ୍ୟା ସମାଧାନ କରିବି।” ସେ ନିଜ ସଫଳତା ପାଇଁ ଶିକ୍ଷକ ଏବଂ ପିତାମାତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ତାଙ୍କ ମାଆ ରଙ୍ଗି ଶବର କହିଛନ୍ତି, “ଶୁଭମ୍ର ପାଠପଢ଼ା ପାଇଁ ଆମେ ଋଣ କରିଥିଲୁ। ତା’ର ପରିଶ୍ରମରେ ସେ NEET ପାସ୍ କରିଛି। ଆମର ଇଚ୍ଛା, ସେ ଡାକ୍ତର ହୋଇ ଆଦିବାସୀ ଗାଁର ସେବା କରୁ।”