ପାରଳାଖେମୁଣ୍ଡି (ଗଜପତି): ମକର ସଂକ୍ରାନ୍ତି ଓଡ଼ିଆ ପରମ୍ପରାର ଏକ ଅତ୍ୟନ୍ତ ପବିତ୍ର ଓ ଆନନ୍ଦମୟ ପର୍ବ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାକୁ ନିଜସ୍ୱ ରୀତିନୀତି ଓ ପରମ୍ପରାରେ ପାଳନ କରାଯାଏ। ଆନ୍ଧ୍ର ସୀମାବର୍ତ୍ତୀ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ତେଲୁଗୁ ଓ ଓଡ଼ିଆ—ଉଭୟ ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ଏଠାରେ ମକର ସଂକ୍ରାନ୍ତି ପାଳନର ଏକ ନିଆରା ଆକର୍ଷଣ ଦେଖିବାକୁ ମିଳେ।

ତେଲୁଗୁ ସମ୍ପ୍ରଦାୟରେ ମକର ସଂକ୍ରାନ୍ତିକୁ ତିନି ଦିନ ଧରି ଭୋଗୀ, ସଂକ୍ରାନ୍ତି ଓ କାନୁମା/ପୋଙ୍ଗଲ ଭାବେ ବହୁ ଧୁମଧାମରେ ପାଳନ କରାଯାଏ। ଏହି ପର୍ବର ପ୍ରଥମ ଦିନ ‘ଭୋଗୀ’ ଅବସରରେ ମଙ୍ଗଳବାର ମଧ୍ୟରାତ୍ରିରୁ ପାରଳାଖେମୁଣ୍ଡି ସହରର ସାହି–ସାହିରେ ଶୁଖିଲା କାଠ ଓ ଗଣ୍ଡି ସଂଗ୍ରହ କରି ଅଗ୍ନି ସଂଯୋଗ କରାଯାଇଥିଲା। ପୂଜାର୍ଚ୍ଚନା ପରେ ନାଚ–ଗୀତ ଓ ଉତ୍ସାହ–ଉଲ୍ଲାସରେ ସହରବାସୀ ଭୋଗୀ ପର୍ବ ପାଳନ କରିଥିଲେ।

ଦ୍ୱିତୀୟ ଦିନ ମକର ସଂକ୍ରାନ୍ତିରେ ତେଲୁଗୁ ପରମ୍ପରାନୁସାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ। ତୃତୀୟ ଦିନ ପରିବାର ସହ ଏକତ୍ରିତ ହୋଇ ନୂତନ ବସ୍ତ୍ର ପରିଧାନ କରାଯିବା ସହ ପିଠା, ପଣା ଓ ବିଭିନ୍ନ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଯାଏ। ସୂର୍ଯ୍ୟଙ୍କ ଉତ୍ତରାୟଣ ଆରମ୍ଭ ହେଉଥିବାରୁ ମକର ସଂକ୍ରାନ୍ତିର ଧାର୍ମିକ ମହତ୍ତ୍ୱ ବେଶି ଥାଏ ଏବଂ ଘରେ ଘରେ ମକର ଚାଉଳ ପୂଜା କରାଯାଏ।

ଦକ୍ଷିଣ ଓଡ଼ିଶାର ବିଶେଷ ପର୍ବ ‘ପୋଙ୍ଗଲ’

ମକର ସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳତା ଦେଖାଯାଇଛି। ଭୋଗୀ ପୂର୍ବରୁ ପାଳିତ ହୋଇଥିବାବେଳେ, ପର୍ବକୁ ନେଇ ପାରଳାଖେମୁଣ୍ଡିର ମୁଖ୍ୟ ବଜାରରେ ମଧ୍ୟ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା। ପର୍ବ ସମ୍ପର୍କିତ ସାମଗ୍ରୀ କ୍ରୟ ପାଇଁ ଲୋକମାନେ ବଜାରମୁଖୀ ହୋଇଥିଲେ।

ଘରେ ଘରେ କୁଣିଆ ମୈତ୍ରଙ୍କ ଆନନ୍ଦ

ମକର ସଂକ୍ରାନ୍ତି ଅବସରରେ ଘରେ ଘରେ କୁଣିଆ ମୈତ୍ରଙ୍କ ଭିଡ଼ ଲାଗିଥିବାବେଳେ, ଦକ୍ଷିଣ ଓଡ଼ିଶାର ଏହି ଗଣପର୍ବ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ବିଶେଷ ଜାକଜମକ ସହ ପାଳିତ ହେଉଛି। ଓଡ଼ିଆ ଓ ତେଲୁଗୁ ସଂସ୍କୃତିର ସୁନ୍ଦର ସମନ୍ୱୟ ପାରଳାଖେମୁଣ୍ଡିର ମକର ପର୍ବକୁ ଅଧିକ ରଙ୍ଗିନ କରିଦେଇଛି।