ମାଲକାନଗିରି: ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ଚିତ୍ରକୋଣ୍ଡା ଥାନା ଅଞ୍ଚଳର ବଡପଦର ପଞ୍ଚାୟତ ଅଧୀନ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଗଂଜେଇ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢାଉ କରି ପୁଲିସ ବହୁ ପରିମାଣର ସାମଗ୍ରୀ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏସପି ବିନୋଦ ପାଟିଲ ଏଚ୍.ଏ. ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସମ୍ବନ୍ଧୀୟ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ, ଜବତ ହୋଇଥିବା ଗଂଜେଇ ତେଲର ପରିମାଣ ପ୍ରାୟ ୨ କିଲୋ ଓ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା। ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ପୁଲିସ କହିଛି। ତଦନ୍ତ ହେତୁ ସେମାନଙ୍କ ପରିଚୟ ଗୁପ୍ତ ରଖାଯାଇଛି।
ଚଢାଉ ସମୟରେ ପୁଲିସ ୩୦ କିଲୋ ଗଂଜେଇ ସହ ଲକ୍ଷାଧିକ ଟଙ୍କାର କେମିକାଲ, ଆଇରନ ମେସିନ, ପ୍ରେସର କୁକର, ଗ୍ୟାସ ସିଲିଣ୍ଡର, ବର୍ନର, କମ୍ପ୍ରେସର, ପାଇପ ଓ ପ୍ଲାଷ୍ଟିକ ଡ୍ରମ ଆଦି ଜବତ କରିଛି। ପ୍ରାଥମିକ ତଦନ୍ତରୁ ଏହି ତେଲକୁ ରାଜ୍ୟ ଓ ରାଜ୍ୟ ବାହାର ସହିତ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଉଥିବା ସନ୍ଦେହ ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ପ୍ରାୟ ୫୦ କିଲୋ ଗଂଜେଇରୁ ୧ କିଲୋ ଗଂଜେଇ ତେଲ ପ୍ରସ୍ତୁତ ହୁଏ ଏବଂ ଏହାର ବଜାର ଦର ବହୁତ ଅଧିକ। ଏପର୍ଯ୍ୟନ୍ତ ମୋଟ ୬୨ କିଲୋ ଗଂଜେଇ ତେଲ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ କୋଟି ୫୦ ଲକ୍ଷ ଟଙ୍କା ବୋଲି ପୁଲିସ କହିଛି।
ଗତ ବର୍ଷ ପୁଲିସ ୩୧ ଟନ୍ ଗଂଜେଇ ଜବତ କରିଥିଲା, ଯେତେବେଳେ ୨୦୨୪ ମସିହାରେ ୨୨ ଟନ୍ ଜବତ ହୋଇଥିଲା। ୨୦୨୫-୨୬ ମସିହାରେ ୧୨୮୨ ଏକର ଅଞ୍ଚଳର ଗଂଜେଇ ଚାଷ ନଷ୍ଟ କରାଯାଇଥିବା ସୂଚନା ମିଳିଛି।
ପୁଲିସ ଜନସାଧାରଣଙ୍କୁ ଅପିଲ କରିଛି ଯେ, ଗଂଜେଇ ଚାଷ, ଚାଲାଣ କିମ୍ବା ତେଲ ପ୍ରସ୍ତୁତି ସମ୍ବନ୍ଧୀୟ ସୂଚନା ଥିଲେ ହେଲ୍ପଲାଇନ ନମ୍ବର ୯୪୩୮୯୧୧୬୯୭୨ରେ ଜଣାଇପାରିବେ। ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ପୁଲିସ ଆଶ୍ୱାସନ ଦେଇଛି।





