ବାଲିଗୁଡ଼ା: କନ୍ଧମାଳକୁ ମାଓମୁକ୍ତ ଜିଲ୍ଲା ଘୋଷଣା ପାଇଁ ସମୟସୀମା ନିକଟତର ହେଉଥିବା ସମୟରେ ଜିଲ୍ଲାରେ ମାଓବାଦୀ ଚଳଚ୍ଚଳତା ପୁନର୍ବାର ବଢ଼ିବା ଦେଖାଯାଇଛି। ପୁଲିସ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଥିବା ବେଳେ ମାଓନେତା ଶୁକୁରୁଙ୍କୁ ଧରିବା ଲକ୍ଷ୍ୟ ରଖାଯାଇଛି।
ଶୁକୁରୁ ଓ ତାଙ୍କ ସହଯୋଗୀମାନେ ପୁଲିସକୁ ଚ୍ୟାଲେଞ୍ଜ୍ ଦେବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରୁଥିବା ଗୁପ୍ତ ସୂଚନା ମିଳିଛି।
ଏହି ପରିପ୍ରେକ୍ଷିତରେ, ବାଲିଗୁଡ଼ା ଉପଖଣ୍ଡ ଓ କୋଟଗଡ଼ ଥାନା ଅଧୀନ ପାରିଗଡ଼ ପଞ୍ଚାୟତର ବାଡ଼ୁସୀଗାଁ ନିକଟ ଗାଙ୍ଗେରିସାରୁ ଜଙ୍ଗଲରେ ସିଆର୍ପିଏଫ ୧୨୭ ବାଟାଲିୟନ୍ ‘ଡି’ କମ୍ପାନୀ ଓ କନ୍ଧମାଳ ପୁଲିସ ମିଳିତ ଭାବେ କମ୍ବିଂ ଅପରେସନ୍ ଚାଲାଇଥିଲେ। ଏହି ଅଭିଯାନ ସମୟରେ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ୍ କରି ଖଞ୍ଜାଯାଇଥିବା ୪ଟି ଆଇଇଡି ବିସ୍ଫୋରକ ଠାବ ହୋଇଥିଲା। ପରେ ସେଗୁଡ଼ିକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଥିଲା, ଯାହାଦ୍ୱାରା ଏକ ବଡ଼ ଅଘଟଣ ଟଳିଯାଇଛି।
ଅଭିଯାନ ବେଳେ ଜଙ୍ଗଲ ଭିତରୁ ଏକ ବଡ଼ ମାଓ କ୍ୟାମ୍ପକୁ ମଧ୍ୟ ପୁଲିସ ଠାବ କରିଛି। ସେଠାରୁ ଡିଟୋନେଟର, ଜିଲୋଟିନ, ବିସ୍ଫୋରକ ସାମଗ୍ରୀ, ଔଷଧ, ବାସନକୁସନ ଓ ମାଓବାଦୀ ପତ୍ରିକା ଜବତ କରାଯାଇଛି।
ବର୍ତ୍ତମାନ କନ୍ଧମାଳ-ରାୟଗଡ଼ା-କଳାହାଣ୍ଡି ସୀମାଞ୍ଚଳର ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ତଲାଶି ଅଭିଯାନକୁ ଆହୁରି କଠିନ କରାଯାଇଛି। ମାଓନେତା ଶୁକୁରୁ ଓ ତାଙ୍କ ଦଳ ସେଠାରେ ଲୁଚି ରହିଥିବା ସନ୍ଦେହରେ ବ୍ୟାପକ ଅପରେସନ୍ ଜାରି ରହିଛି।





