ନବରଙ୍ଗପୁର: ମହିଳାଙ୍କ ଦାଦନ ରୋକିବା ଓ ଗ୍ରାମାଞ୍ଚଳରେ ରୋଜଗାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ଚାଲୁଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚୟତା ଯୋଜନା (ମନରେଗା)ରେ ମହିଳା ଭାଗିଦାରୀ ନବରଙ୍ଗପୁର ଜିଲ୍ଲାରେ ୪୫.୧୧ ପ୍ରତିଶତରେ ସୀମିତ ରହିଛି। ମନରେଗା ମାର୍ଗଦର୍ଶିକା ଅନୁସାରେ କମ୍‌ସେକମ୍‌ ୫୦ ପ୍ରତିଶତ ମହିଳା ଭାଗିଦାରୀ ଆବଶ୍ୟକ ଥିବା ବେଳେ, ଜିଲ୍ଲାର ୧୦ଟି ବ୍ଲକ ମଧ୍ୟରୁ କେବଳ ନବରଙ୍ଗପୁର ସଦର ବ୍ଲକ ଏହି ଲକ୍ଷ୍ୟକୁ ଛୁଇଁପାରିଛି।

ଜିଲ୍ଲାର ୧୦ଟି ବ୍ଲକରେ ମୋଟ ୨ ଲକ୍ଷ ୨୬ ହଜାର ୬୭୦ ପରିବାରକୁ ଜବ୍‌କାର୍ଡ ପ୍ରଦାନ କରାଯାଇଛି। ଚଳିତ ବର୍ଷ ୩୨ ଲକ୍ଷ ୩୫ ହଜାର ୩୫୧ ମହିଳା ଶ୍ରମଦିବସ ସୃଷ୍ଟି କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ, ଏପର୍ଯ୍ୟନ୍ତ ୧୪ ଲକ୍ଷ ୫୯ ହଜାର ୫୯୮ ଶ୍ରମଦିବସ ସୃଷ୍ଟି ହୋଇଛି, ଯାହା ୪୫.୧୧ ପ୍ରତିଶତ।

ନବରଙ୍ଗପୁର ସଦର ବ୍ଲକରେ ୧ ଲକ୍ଷ ୫୦ ହଜାର ୪୮୫ ଶ୍ରମଦିବସ ମଧ୍ୟରୁ ୭୬ ହଜାର ୯୩୭ ମହିଳା ଶ୍ରମଦିବସ ସୃଷ୍ଟି ହୋଇ ୫୧.୧୩ ପ୍ରତିଶତ ଭାଗିଦାରୀ ରହିଛି। ଦାଦନ ପ୍ରବଣ ଭାବେ ଚିହ୍ନଟ ଝରିଗାଁ ବ୍ଲକରେ ୨ ଲକ୍ଷ ୮୦ ହଜାର ୮୭୫ ମଧ୍ୟରୁ ୧ ଲକ୍ଷ ୨୩ ହଜାର ୫୬୬ ଏବଂ ପାପଡ଼ାହାଣ୍ଡି ବ୍ଲକରେ ୫ ଲକ୍ଷ ୬୬ ହଜାର ୮୪ ମଧ୍ୟରୁ ୨ ଲକ୍ଷ ୩୭ ହଜାର ୩୪୯ ମହିଳା ଶ୍ରମଦିବସ ସୃଷ୍ଟି କରାଯାଇଛି। ଏହି ଦୁଇ ବ୍ଲକରେ ୩୦୦ ଦିନ କାମ ଦେବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି।

ଉମରକୋଟ, ତେନ୍ତୁଳିଖୁଣ୍ଟି, ଡାବୁଗାଁ, ଚନ୍ଦାହାଣ୍ଡି, ନନ୍ଦାହାଣ୍ଡି, କୋଷାଗୁମୁଡା ଓ ରାଇଘର ବ୍ଲକରେ ମଧ୍ୟ ମହିଳା ଶ୍ରମିକଙ୍କୁ ଶ୍ରମଦିବସ ଦିଆଯାଇଥିଲେ ବି ୫୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇନାହିଁ।

ସମ୍ପ୍ରତି ହୋଇଥିବା ମାସିକ ମନରେଗା ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ମହିଳା ଭାଗିଦାରୀ କମ୍‌ ଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ବ୍ଲକ ବିକାଶ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସ୍ତରରେ ମଧ୍ୟ ମନରେଗା କାର୍ଯ୍ୟାନ୍ୱୟନରେ ଜିଲ୍ଲା ପଛୁଆ ଥିବା ନେଇ ବାରମ୍ବାର ତାଗିଦ୍‌ ମିଳୁଥିବା ବେଳେ, ତଥାପି ପ୍ରଶାସନୀୟ ଅବହେଳା ଯୋଗୁଁ ଯୋଜନାର ଉଦ୍ଦେଶ୍ୟ ସଫଳ ହେଉନଥିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ମନରେଗା ସଠିକ୍‌ ଭାବେ କାର୍ଯ୍ୟକାରୀ ନ ହେବାରୁ ମହିଳା ସହ ପୁରୁଷ ଓ ନାବାଳକ-ନାବାଳିକା ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିବା ନଜିର ଏବେବି ଜିଲ୍ଲାରେ ଦେଖିବାକୁ ମିଳୁଛି।