ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଜଣେ ଅପ୍ରାପ୍ତବୟସ୍କ ଛାତ୍ରୀଙ୍କୁ ଦୀର୍ଘ ସମୟ ଧରି ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗ ଉଠିଛି। ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦାଖଲ ହୋଇଥିବା ବେଳେ ପୁଲିସ ୪ ଜଣ ଶିକ୍ଷକ ଓ ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ଦେଉଳତରା ଅଞ୍ଚଳର ଏହି ଛାତ୍ରୀଙ୍କୁ ପ୍ରାୟ ଦୁଇ ବର୍ଷ ଧରି ବିଭିନ୍ନ ସମୟରେ ନିର୍ଯାତନା କରାଯାଇଥିଲା। ଏନେଇ ପରିବାର ଜାନୁଆରୀ ମାସରେ ଅବଗତ ହେବା ପରେ ଛାତ୍ରୀଙ୍କୁ ସ୍କୁଲକୁ ପଠାଇବା ବନ୍ଦ କରିଥିଲେ। ୧୬ ଜାନୁଆରୀରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମୟରେ ପୀଡ଼ିତାଙ୍କ ମାତା ଶିକ୍ଷକମାନଙ୍କୁ ନେଇ ଆପତ୍ତି ଜଣାଇଥିବା ସୂଚନା ମିଳିଛି।
ପରିବାରର ଅଭିଯୋଗ ଅନୁସାରେ, ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ସ୍କୁଲରେ ପଢ଼ୁଥିବା ପୀଡ଼ିତାଙ୍କ ସାନ ଭାଇଙ୍କୁ କ୍ଷତି କରିବାକୁ ଧମକ ଦିଆଯାଉଥିଲା। ପୀଡ଼ିତାଙ୍କ ପିତା ରାଜ୍ୟବାହାରେ କାମ କରୁଥିବା ବେଳେ ଘଟଣା ଜାଣି ୧୮ ତାରିଖରେ ଶିଶୁ କଳ୍ୟାଣ ସମିତି (CWC) ନିକଟରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ଦିନ CWC କର୍ତ୍ତୃପକ୍ଷ ବିଦ୍ୟାଳୟକୁ ଯାଇ ପ୍ରାଥମିକ ତଦନ୍ତ କରିଥିବା ସୂଚନା ମିଳିଛି।
ପୀଡ଼ିତାଙ୍କ ପରିବାର ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକାର ଘଟଣା ଅନ୍ୟାନ୍ୟ ଛାତ୍ରୀଙ୍କ ସହ ମଧ୍ୟ ଘଟିଥିବା ସମ୍ଭାବନା ରହିଛି। ଘଟଣା ପ୍ରକାଶ ପାଇବା ପରେ ପୁଲିସ ୩ ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।
ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ପୁଲିସ ତଦନ୍ତ ଜାରି ରଖିଛି।





