ଗଜପତି: ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ମାଣାଧୀନ ନେରେଡି ବ୍ୟାରେଜ୍‌ ପ୍ରକଳ୍ପକୁ ନେଇ ଆବାର ଚର୍ଚ୍ଚା ଜୋର ଧରିଛି। ସମ୍ପ୍ରତି ଟ୍ରିବ୍ୟୁନାଲ ଓ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିବା ପରେ ଓଡ଼ିଶାର ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଚିନ୍ତା ଓ ଅସନ୍ତୋଷ ବଢ଼ିଛି। ବିଶେଷକରି କାଶୀନଗର ବ୍ଲକର ବଂଶଧାରା ନଦୀକୂଳ ଅଞ୍ଚଳର ଲୋକମାନେ ଜମି ଅଧିଗ୍ରହଣ, ପୁନର୍ବାସ ଓ ଜୀବିକା ନେଇ ଅନିଶ୍ଚିତତାରେ ଅଛନ୍ତି।

ଟ୍ରିବ୍ୟୁନାଲର ରାୟ ଆନ୍ଧ୍ରପ୍ରଦେଶ ପକ୍ଷରେ ଯିବା ପରେ ସେଠାର ସରକାର ପ୍ରକଳ୍ପ କାର୍ଯ୍ୟାନ୍ବୟନ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନେଉଥିବା ବେଳେ ଓଡ଼ିଶା ସରକାର ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।

ତିନି ଦଶକ ଧରି ଚାଲିଆସୁଥିବା ଏହି ବିବାଦରେ ଆନ୍ଧ୍ରପ୍ରଦେଶ ସରକାର ନିଜ ପକ୍ଷକୁ ମଜବୁତ କରିବାରେ ସଫଳ ହୋଇଥିବା ଦାବି କରୁଛି। ସେପଟେ କେନ୍ଦ୍ରମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଏହି ରାୟକୁ “ଐତିହାସିକ” ବୋଲି କହିଥିବା ବେଳେ, ଏହା ଶ୍ରୀକାକୁଳମ ଜିଲ୍ଲାର କୃଷିକ୍ଷେତ୍ର ପାଇଁ ନୂତନ ଆଶା ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଛନ୍ତି।

ରାୟ ଅନୁଯାୟୀ, ବଂଶଧାରା ନଦୀର ଉପଲବ୍ଧ ୧୧୫ ଟିଏମ୍‌ସି ଜଳର ୫୦ ଶତଂଶ ଆନ୍ଧ୍ରପ୍ରଦେଶକୁ ମିଳିବ ଓ ଅବଶିଷ୍ଟ ଜଳ ଉଭୟ ରାଜ୍ୟ ମଧ୍ୟରେ ବଣ୍ଟନ ହେବ। ଏହାସହ ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶାକୁ ଆନ୍ଧ୍ରକୁ ହସ୍ତାନ୍ତର କରିବାକୁ ପଡ଼ିବ ଓ ତାହାର କ୍ଷତିପୂରଣ ଆନ୍ଧ୍ର ସରକାର ଦେବେ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳ ଜଳମଗ୍ନ ହେବା ସହ ନଦୀର ଗତିପଥ ପରିବର୍ତ୍ତନ ଓ ତଳମୁଣ୍ଡ ଶୁଷ୍କ ପଡ଼ିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ହଜାର ହଜାର ପରିବାର ପ୍ରଭାବିତ ହେବେ ବୋଲି ସ୍ଥାନୀୟମାନେ ଭୟ ପ୍ରକାଶ କରୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ ହୋଇଥିଲା ଏବଂ ଏବେ ମଧ୍ୟ ସେମାନେ ସରକାରଙ୍କୁ ଲୋକହିତ ଦୃଷ୍ଟିରେ ପଦକ୍ଷେପ ନେବାକୁ ଦାବି କରୁଛନ୍ତି।

୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଆଇନଗତ ଲଢ଼େଇ ୨୦୧୦ରେ ଟ୍ରିବ୍ୟୁନାଲ ଗଠନ ସହ ଗତି ପାଇଥିଲା। ବର୍ତ୍ତମାନ ଏହା ଏକ ନିର୍ଣ୍ଣାୟକ ପର୍ଯ୍ୟାୟକୁ ପହଞ୍ଚିଥିବା ବେଳେ ଆଗାମୀଦିନରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।