ରାଉରକେଲା: ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ଏକ ୯ ସିଟର ବିମାନ ରାସ୍ତାରେ ଯାନ୍ତ୍ରିକ ତ୍ରୁଟି ହେତୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଲଦା କାଏଁସର ଗ୍ରାମ ନିକଟସ୍ଥ ଏକ ପଡିଆରେ ବିମାନଟି ଜରୁରୀ ଅବତରଣ କରିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ପାଇଲଟ୍ ସମେତ ମୋଟ ୬ ଜଣ ଆହତ ହୋଇଛନ୍ତି।
ଘଟଣା ଘଟିବା ସହିତ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ସୂଚନା ପାଇ ଜଲଦା, ରଘୁନାଥପାଲି ଓ ଲାଠିକଟା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ।
ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ, ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ସଭାଗ୍ୟବଶତଃ କାହାରି ଗୁରୁତର କ୍ଷତି ହୋଇନାହିଁ ଓ ସମସ୍ତ ଯାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି। ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି।
ଏହି ମଧ୍ୟରେ ଘଟଣାସ୍ଥଳକୁ ରାଉରକେଲା ଏସପି ମଧ୍ୟ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।





