କଟକ: ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଆଡହକ୍ ଭିତ୍ତିରେ କାମ କରୁଥିବା ଜଣେ ସହକାରୀ ସର୍ଜନଙ୍କ ପାଇଁ ଶେଷରେ ନ୍ୟାୟର ଦ୍ୱାର ଖୋଲିଛି। ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ତାଙ୍କର ଚାକିରିକୁ ୨୦୧୫ ଜାନୁଆରି ୧୬ରୁ ସହକାରୀ ସର୍ଜନ (Ex-cadre) ପଦବୀରେ ନିୟମିତ କରିବାକୁ ସରକାରକୁ ନିର୍ଦ୍ଦେଶ ଦେଇଛି।
ହାଇକୋର୍ଟର ଆଦେଶ ଅନୁସାରେ, ଆବେଦନକାରୀଙ୍କୁ ସମସ୍ତ ଆର୍ଥିକ ଏବଂ ସେବାସମ୍ବନ୍ଧୀୟ ସୁବିଧା ୩ ମାସ ମଧ୍ୟରେ ପ୍ରଦାନ କରିବାକୁ ପଡିବ। ସେହିସହିତ, ସ୍ବାସ୍ଥ୍ୟ ବିଭାଗ ୨୦୨୪ ଜୁଲାଇ ୬ରେ ତାଙ୍କର ଆବେଦନ ଖାରଜ କରିଥିବା ନିଷ୍ପତ୍ତିକୁ ମଧ୍ୟ କୋର୍ଟ ବାତିଲ କରିଛି।
ଏହି ମାମଲାରେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଡାକ୍ତର ଅମୀୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରିଥିଲେ।
ପୃଷ୍ଠଭୂମି:
– ଆବେଦନକାରୀଙ୍କୁ ୧୯୯୨ ଡିସେମ୍ବର ୨୩ରେ ଆଡହକ ସହକାରୀ ସର୍ଜନ ଭାବେ ନିଯୁକ୍ତି ଦିଆଯାଇଥିଲା।
– ୨୦୧୫ରେ ସରକାର ୨୦ଜଣ ଆଡହକ୍/ଚୁକ୍ତିଭିତ୍ତିକ ସହକାରୀ ସର୍ଜନଙ୍କ ଚାକିରିକୁ ନିୟମିତ କରିବାକୁ ବିଚାର କଲା, କିନ୍ତୁ ୮ଜଣଙ୍କୁ ମାତ୍ର ଲାଭ ଦିଆଗଲା।
– ପରବର୍ତ୍ତୀ ସମୟରେ ଆଉ କିଛିଙ୍କୁ ନିୟମିତ କରାଯାଇଥିଲେ, କିନ୍ତୁ ଆବେଦନକାରୀଙ୍କୁ ବାହାର କରାଗଲା।
– ୩ ଦଶନ୍ଧିରୁ ଅଧିକ ସେବା ସତ୍ତ୍ୱେ, ବିଭିନ୍ନ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ କାମ କରିଥିବା ସତ୍ତ୍ୱେ, ତାଙ୍କ ଚାକିରି ନିୟମିତ ହୋଇନଥିଲା।
– ୨୦୨୪ରେ ସେ ହାଇକୋର୍ଟର ଶରଣାପଣ୍ଣ ହୋଇଥିଲେ।