ଚିଲିକା: ଚିଲିକା ହ୍ରଦରେ ଏବର୍ଷ ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସିର ଖବର ମିଳିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (CDA) ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଉଦ୍ୟମରେ ରବିବାର ସମାପ୍ତ ହୋଇଥିବା ବାର୍ଷିକ ପକ୍ଷୀ ଗଣନା ଅନୁସାରେ ସମଗ୍ର ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀଙ୍କ ସମାଗମ ରେକର୍ଡ ହୋଇଛି।

ପକ୍ଷୀ ଅଭୟାରଣ୍ୟ ନଳବଣରେ ମାତ୍ର ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଏହାକୁ ଚିଲିକାର ସର୍ବାଧିକ ପକ୍ଷୀ ସମାଗମ କ୍ଷେତ୍ର ଭାବେ ଗଣାଯାଇଛି।

ଗତବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୨୭ ହଜାର ୨୨୮ଟି ପକ୍ଷୀ ଥିବା ବେଳେ ଏବର୍ଷ ସେହି ସଂଖ୍ୟା ୫୪ ହଜାର ୩୬୧ଟି ବୃଦ୍ଧି ପାଇଛି। ଏଥିମଧ୍ୟରୁ ବିଦେଶାଗତ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ପକ୍ଷୀ ଥିବା ବେଳେ ଦେଶୀୟ ୯୦ ପ୍ରଜାତିର ୨୧ ହଜାର ୯୪୩ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି।

ସୁନ୍ଦର ଓ ଆକର୍ଷଣୀୟ ଫ୍ଲେମିଙ୍ଗ ପକ୍ଷୀଙ୍କ ସଂଖ୍ୟା ଏବର୍ଷ ୧,୮୦୦ ରେ ପହଞ୍ଚିଥିବା ଗଣନା ରିପୋର୍ଟରୁ ଜଣାପଡ଼ିଛି। ସେହିପରି ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ସର୍ବାଧିକ ନର୍ଦର୍ନ ପିଣ୍ଟେଲ ୨ ଲକ୍ଷ ୧୮ ହଜାର ୯୯୩ଟି, ୟୁରେସିଆନ୍ ୱିଜିଅନ ୧ ଲକ୍ଷ ୫୩ ହଜାର ୩୧୮ଟି ଓ ଗଡ଼ୱାଲ ୧ ଲକ୍ଷ ୪୩ ହଜାର ୧୨୭ଟି ଚିହ୍ନଟ ହୋଇଛନ୍ତି।

ପକ୍ଷୀ ଗଣନା ସମୟରେ ବାଲୁଗାଁ, ଟାଙ୍ଗି, ସାତପଡ଼ା, ଚିଲିକା ଓ ରମ୍ଭା—ଏହି ୫ଟି ରେଞ୍ଜକୁ ୨୨ଟି ଜୋନରେ ବିଭକ୍ତ କରାଯାଇ ୧୩୦ଜଣ ଗଣନାକାରୀ ନିୟୋଜିତ ହୋଇଥିଲେ। ଜଳପଥରେ ୨୦ଟି ଓ ସଡ଼କପଥରେ ୨ଟି ଜୋନରେ ସକାଳ ୬ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ହୋଇଥିଲା।

ଏହି ପକ୍ଷୀ ଗଣନାରେ CDA, ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ୱାଇଲଡ଼ ଓଡ଼ିଶା, OUAT ସହ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ସାମିଲ ହୋଇଥିଲେ।

ବିଭାଗୀୟ ଅଧିକାରୀମାନଙ୍କ ମତରେ, ଉପଯୁକ୍ତ ପାଣିପାଗ, ଜଳସ୍ତର ବୃଦ୍ଧି ଓ ସୁରକ୍ଷିତ ପରିବେଶ ହେତୁ ଏବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଅଧିକ ହୋଇଛି।