ରାଉରକେଲା, ୮ ଅଗଷ୍ଟ — ଲଣ୍ଡନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଉରକେଲାର ଯୁବ ଇଞ୍ଜିନିୟର ଅଙ୍କିତା ନାୟକଙ୍କ ପ୍ରାଣହାନି ଘଟିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ତାଙ୍କ ମୃତଦେହ ଭୁବନେଶ୍ବର ବିମାନବନ୍ଦରକୁ ପହଞ୍ଚିବା ପରେ ସଡ଼କ ମାର୍ଗରେ ରାଉରକେଲା ନେଇଯିବାର ପ୍ରସ୍ତୁତି ହେଉଛି।
ସୂଚନା ଅନୁସାରେ, ଗତ ୪ ଅଗଷ୍ଟରେ ଅଙ୍କିତା ଦୁର୍ଘଟଣାରେ ପଡ଼ିଥିଲେ। ଗୁରୁବାର ସନ୍ଧ୍ୟାରେ ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ବନ୍ଧୀୟ ସ୍ପଷ୍ଟ ସୂଚନା ପରିବାରକୁ ଦିଆଯାଇଥିଲା। ସେ ଲଣ୍ଡନର ପ୍ରତିଷ୍ଠିତ ‘ଡାଇରେକ୍ଟ ଲାଇନ୍ ଗ୍ରୁପ୍’ରେ ୱେବ୍ ଡେଭେଲପର୍ ଭାବେ କାମ କରୁଥିଲେ।
ରାଉରକେଲା ସେକ୍ଟର-୧୮ ‘ଏ’ ବ୍ଲକରେ ଅଙ୍କିତାଙ୍କ ପରିବାର ବସବାସ କରେ। ତାଙ୍କ ବାପା, ଆର୍ଏସ୍ପି ଜିଏମ୍ ସୃଷ୍ଟିଧର ନାୟକଙ୍କ ୩ ମାସ ପୂର୍ବରୁ ପରଲୋକ ଘଟିଥିଲା। ବର୍ତ୍ତମାନ ପରିବାରରେ ମା’ ଓ ଛୋଟ ଭାଇ ରହିଛନ୍ତି।
ଅଙ୍କିତା ରାଉରକେଲାରେ ଶିକ୍ଷା ଗ୍ରହଣ କରି ୨୦୧୭ରେ ଏନ୍ଆଇଟିରୁ ଫୁଡ୍ ପ୍ରୋସେସ୍ ଇଞ୍ଜିନିୟରିଂରେ ବି.ଟେକ୍ ସମାପ୍ତ କରିଥିଲେ। ସେ ସେହିବର୍ଷରେ ବିଭାଗର ଟପର ହୋଇ ସ୍ୱର୍ଣ୍ଣପଦକ ଲାଭ କରିଥିଲେ।
ବାପାଙ୍କ ଦେହାନ୍ତ ପରେ ପ୍ରାୟ ୩ ମାସ ଦେଶରେ କାଟି, ଗତ ୩୦ ଜୁଲାଇରେ ସେ ଲଣ୍ଡନକୁ ଫେରିଥିଲେ। ପରିବାର ସହ ପ୍ରତିଦିନ କଥା ହେଉଥିବା ସତ୍ୱେ, ଗତ ସୋମବାରଠାରୁ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ପରେ ଭାରତୀୟ ଦୂତାବାସ ମାଧ୍ୟମରେ ତାଙ୍କ ଦୁଃଖଦ ମୃତ୍ୟୁ ସମ୍ବନ୍ଧୀୟ ସୂଚନା ପରିବାର ପାଇଥିଲେ।