ଭୁବନେଶ୍ବର: ଡିଜିଟାଲ୍ ଶାସନକୁ ଗ୍ରାମ ସ୍ତରରେ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାବି କରି, ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଶୁଆକାଟି ଗ୍ରାମ ପଞ୍ଚାୟତ ୨୦୨୫ର ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର (NEIG)ରେ ଜୁରି ପୁରସ୍କାର ଅର୍ଜନ କରିଛି।
ନୂତନ ଶ୍ରେଣୀ “ଗ୍ରାସରୁଟ୍ସ ଇନିସିଆଟିଭ୍ସ ଇନ୍ ପଞ୍ଚାୟତସ୍” ଅଧୀନରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଦେଶ ସାରାରୁ ୧.୪୫ ଲକ୍ଷରୁ ଅଧିକ ପ୍ରବେଶକୁ ବହୁସ୍ତରୀୟ ମୂଲ୍ୟାଙ୍କନ ପରେ, ଶୁଆକାଟି ସହିତ ଗୁଜରାଟର ପଲସାନା ଗ୍ରାମ ପଞ୍ଚାୟତ ଜୁରି ପୁରସ୍କାର, ମହାରାଷ୍ଟ୍ରର ଧୁଲେ ଜିଲ୍ଲା ରୋହିଣୀ ଗ୍ରାମ ପଞ୍ଚାୟତ ସ୍ବର୍ଣ୍ଣ ପୁରସ୍କାର ଓ ତ୍ରିପୁରାର ପଶ୍ଚିମ ମଜଲିଶପୁର ରୌପ୍ୟ ପୁରସ୍କାର ପାଇଛି।
ଶୁଆକାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କୌତୁକ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। ପୁରସ୍କାରରେ ଟ୍ରଫି ଓ ପ୍ରମାଣପତ୍ର ସହିତ ସ୍ବର୍ଣ୍ଣ ବିଜେତାଙ୍କୁ ୧୦ ଲକ୍ଷ ଓ ରୌପ୍ୟ ବିଜେତାଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି, ଯାହାକୁ ସିଧାସଳଖ ନାଗରିକମୁଖୀ ପଦକ୍ଷେପରେ ବ୍ୟବହାର କରାଯିବ।
ଡିଜିଟାଲ୍ ଶାସନ, ସ୍ୱଚ୍ଛତା ଏବଂ ଅଂଶଗ୍ରହଣମୂଳକ ସେବାରେ ନୂଆ ମାନଦଣ୍ଡ ସ୍ଥାପନ କରି, ଶୁଆକାଟି ଗ୍ରାମ ପଞ୍ଚାୟତ “ଓଡ଼ିଶା ୱାନ୍” ଓ “ସେବା ଓଡ଼ିଶା ପ୍ଲାଟଫର୍ମ” ମାଧ୍ୟମରେ ବିଭିନ୍ନ ସେବାକୁ ଡିଜିଟାଇଜ୍ କରିଛି। ଏଥିରୁ ଲୋକମାନେ ୨୪ ଘଣ୍ଟା ସୁବିଧା ଉପଲବ୍ଧ କରୁଥିବା ସହିତ ସେବାର ସ୍ୱଚ୍ଛତା ଓ ଟ୍ରାକିଂ ସୁବିଧା ପାଇପାରୁଛନ୍ତି।
ମହିଳା ନେତୃତ୍ୱରେ ଚାଲିଥିବା ଏହି ଗ୍ରାମ ପଞ୍ଚାୟତ ଡିଜିଟାଲ୍ ପ୍ରୟୋଗ ମାଧ୍ୟମରେ ସରକାର ଓ ନାଗରିକଙ୍କ ମଧ୍ୟରେ ସେତୁ ସ୍ଥାପନ କରିଥିବା ଏକ ଦୃଷ୍ଟାନ୍ତ ହୋଇଛି।