ମୟୂରଭଞ୍ଜ/ବାଲେଶ୍ବର: ଲଘୁଚାପ ସୃଷ୍ଟ ଲଗାଣ ବର୍ଷା ପରିଣାମରେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସୀମାକୁ ଟପିଯିବାରୁ ଏହା ସଂଲଗ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଉଛି।

ମୟୂରଭଞ୍ଜ ରିପୋର୍ଟ: ଜିଲ୍ଲାର ସାରସକଣା ବ୍ଲକର ନେଦା ଗାଁ ସହିତ ଓଡ଼ିଶା-ଝାଡ଼ଖଣ୍ଡ ସୀମା ଅଞ୍ଚଳର ୧୦୦୦ ରୁ ଅଧିକ ଗ୍ରାମବାସୀ ବନ୍ୟା ପାଣି ଘେରରେ ଅଛନ୍ତି। ଜିଲ୍ଲାପାଳ ଓ ଏସପି ସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ୍, ଓଡିଆରଏଫ୍ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ଆଜି ସକାଳେ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଉପଲବ୍ଧ କରାଯାଇଛି।

ବାଲେଶ୍ବର ରିପୋର୍ଟ: ସୁବର୍ଣ୍ଣରେଖାରେ ଜଳସ୍ତର ଦ୍ରୁତ ଭାବେ ବଢ଼ୁଛି। ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମି. ରହିଥିବାବେଳେ ସଂଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୦.୮୮ ମି. ଅବଧିକୁ ପହଞ୍ଚିଛି। ବାଲିଆପାଳ ବ୍ଲକର କୁଦମାନସିଂହ ଓ ଭୋଗରାଇ ବ୍ଲକର ଖଣାବାଡ଼ ଗାଁରେ ବନ୍ୟା ପାଣି ପଶିଛି।

ପ୍ରଶାସନ ବନ୍ୟା ପ୍ରତିରୋଧ ପାଇଁ ପୂର୍ଣ୍ଣ ସଚେତନ ଓ ସକ୍ରିୟ ଅବସ୍ଥାରେ ରହିଛି। ଉଚ୍ଚ ସତର୍କତା ଜାରି ରହିଛି ଓ ଆପଦ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ଉଦ୍ଧାର କାର୍ଯ୍ୟ ଚାଲିଛି।