ଘୁ.ଉଦୟଗିରି, ଗଞ୍ଜାମ: ଘୁମୁସର ଉଦୟଗିରି ବନଅଞ୍ଚଳରେ ବାଟବଣା ହୋଇଥିବା ଦୁଇ ଜଙ୍ଗଲୀ ଦନ୍ତାହାତୀ ଘରେଘରେ ଆତଙ୍କ ମଚାଇଛନ୍ତି। ଏହି ଦୁଇ ହାତୀ ଘାସବନ ଛାଡି ସହର ଓ ଗ୍ରାମ ମୁହାଁ ହେଉଥିବା ଦୃଶ୍ୟ ଦିନକୁ ଦିନ ଦେଖିବାକୁ ମିଳୁଛି। ଏଠାରୁ ଚାଷୀମାନେ ନ ତ ଫସଲ ରକ୍ଷା କରିପାରୁଛନ୍ତି, ନ ତ ଘରେ ଶାନ୍ତିରେ ଘୁମ ପକାଇପାରୁଛନ୍ତି।
ପିଛଲା ଚାରି ଦିନ ଧରି ଏହି ହାତୀମାନେ ଘୁ.ଉଦୟଗିରି ସହରର ବିଭିନ୍ନ ୱାର୍ଡ ଏବଂ ଆସପାସ ଅଞ୍ଚଳରେ ଫସଲ ଓ କଦଳୀ ବାଗିଚା ଧ୍ୱଂସ କରି ଲୋକମାନଙ୍କୁ ଚିନ୍ତାରେ ପକାଇଛନ୍ତି। ଏଠିପର୍ଯ୍ୟନ୍ତ ପଦାସାହି, ଶ୍ରୀରାମ ଆଦର୍ଶ ବିଦ୍ୟାଳୟ ପଛପଟ, ନନ୍ଦଗିରି ଏବଂ ସୁଜେଲି ଗ୍ରାମ ଭୟଙ୍କର ପ୍ରଭାବିତ ହୋଇଛି।
ଘର ଭାଙ୍ଗି ଧାନ ଖାଇଛନ୍ତି, ଫସଲ ଧ୍ୱଂସ
ଗତକାଲି ସୁଜେଲି ଗ୍ରାମର ପ୍ରେମାନନ୍ଦ ସାହୁଙ୍କ ଘରରେ ହାତୀ ଭାଙ୍ଗି ପସି ଲୁଗାପଟା ଚିରିଦେଇ ଅଦା, ହଳଦୀ ଫସଲ ଓ ଧାନ ଖାଇ ନଷ୍ଟ କରିଛନ୍ତି। ବାଗିଚାରେ ଥିବା ଆମ୍ବ, ପଣସ ଓ କଦଳୀ ଗଛକୁ ଭାଙ୍ଗି ଧ୍ୱଂସ କରିଛନ୍ତି। ଏହିଭଳି ହାତୀ ଉପଦ୍ରବରେ ଅଞ୍ଚଳବାସୀ ରାତି ଶୋଇପାରୁନାହାନ୍ତି, ନ ତ ଦିନେ ନିଜ ଜମି ଚାଷକୁ ନେଇ ନିଶ୍ଚିନ୍ତ ରହିପାରୁଛନ୍ତି।
ବନବିଭାଗ ଚେଷ୍ଟା କଲେ ମଧ୍ୟ ହାତୀ ଜଙ୍ଗଲକୁ ଫେରୁନାହାନ୍ତି
ବନବିଭାଗ ପକ୍ଷରୁ ହାତୀମାନେ ଜଙ୍ଗଲକୁ ଫେରିଯାଆନ୍ତୁ ବୋଲି ଚେଷ୍ଟା ହେଉଥିବା ସତ୍ତ୍ୱେ ଆମ୍ବ, ପଣସ, କଦଳୀ ଆଦି ଖାଦ୍ୟ ଲୋଭରେ ଦନ୍ତାମାନେ ଗ୍ରାମ ଓ ଶହର ଚାରିପାଖକୁ ଘୁରି ବୁଲୁଛନ୍ତି। ତେଣୁ ଏହି ଅଞ୍ଚଳରେ ମନ୍ତ୍ରଣା କରି ଏକ ଲଘୁକାଳିନ ଓ ଦୀର୍ଘକାଳିନ ପ୍ରତିରୋଧ ଯୋଜନା ଆବଶ୍ୟକ।
ଆଉ କେତେଦିନ?
ଅଞ୍ଚଳବାସୀ ଏହି ବନ୍ୟଜନ୍ତୁ ଉପଦ୍ରବ ରୋକିବା ପାଇଁ ତ୍ୱରିତ ବ୍ୟବସ୍ଥା ନେବାକୁ ବନବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରୁଛନ୍ତି। ତାଙ୍କର କହିବା – “ଆମ ଘର ବଞ୍ଚିବ କି ନାହିଁ ଜାଣି ନପାରୁ, ଚାଷ ତ ଶେଷ। ଏଭଳି ଚାଲିଲେ ଆମ ଜୀବନ ବଡ଼ ଅନିଶ୍ଚିତ।”
ଏହି ଅଞ୍ଚଳରେ ଦୁଇ ଦନ୍ତା ଉପଦ୍ରବ ଜାରି ରହିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ବି ଏକ ଦୃଢ଼ ଯୋଜନାର ଅଭାବ ଲକ୍ଷ୍ୟ କରାଯାଉଛି।