ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଅଞ୍ଚଳରେ ପାଳିତ ହେଉଥିବା ଆଦିମ ଜନଜାତି ବଣ୍ଡାଙ୍କ ନିଆରା ପର୍ବ ‘ଝାଟିମରା’ ଆଜି ମଧ୍ୟ ପୂର୍ବପୁରୁଷ ପରମ୍ପରାକୁ ଜୀବନ୍ତ ରଖିଛି। ଏହି ପର୍ବରେ ରକ୍ତ ଝରିଲେ ମଧ୍ୟ ତାହା ଦ୍ୱେଷ କିମ୍ବା ହିଂସାର ପ୍ରତୀକ ନୁହେଁ, ବରଂ ରାଗ, ଅଭିମାନ ଓ ମନମାଳିନ୍ୟକୁ ଦୂର କରି ବନ୍ଧୁତ୍ୱ ଦୃଢ଼ କରିବାର ଏକ ଅଲଗା ରିତି।
ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ପଡେଇଗୁଡ଼ା ଗାଁରେ ଏହି ପର୍ବକୁ କେନ୍ଦ୍ର କରି ଗାଁ ସାରା ଆଦିମ ଜନଜାତିର ଲୋକେ ଏକାଠି ହୁଅନ୍ତି। ସଲପ ଗଛରୁ ତିଆରି ଛାଟ ନେଇ ପରସ୍ପରଙ୍କ ପିଠିରେ ଆଘାତ କରାଯାଏ, ଯାହାରେ ଦେହରୁ ରକ୍ତ ଝରେ। ଏହି ସଂଘର୍ଷ ପରେ ପରସ୍ପରକୁ ଆଲିଙ୍ଗନ କରି ସମସ୍ତ ମନମାଳିନ୍ୟର ଅବସାନ କରାଯାଏ। ମହିଳାମାନେ ଆଘାତ ପାଇଥିବା ପିଠିରେ ହଳଦୀ ଲେପ ଦେଇ ଚିକିତ୍ସା କରନ୍ତି।
ବଣ୍ଡା ସମୁଦାୟର କହିବା ଅନୁଯାୟୀ, ବର୍ଷ ତମାମ ଜମା ହୋଇଥିବା ରାଗ–ଅଭିମାନକୁ ମିଟାଇ ନିବିଡ଼ ସମ୍ପର୍କ ସୃଷ୍ଟି କରିବା ହେଉଛି ଝାଟିମରା ପର୍ବର ମୂଳ ଉଦ୍ଦେଶ୍ୟ। ଏହି ପର୍ବକୁ ‘ପୁଷପରବ’ ବୋଲି ମଧ୍ୟ ଜଣାଯାଏ ଏବଂ ଏହା ଆଦିମ କାଳରୁ ବଣ୍ଡା ଜନଜାତିର ଜୀବନ ଶୈଳୀର ଅଂଶ ଭାବେ ଚାଲିଆସୁଛି।
ଏହି ଅଲଗା ପରମ୍ପରା ଓ ନିଆରା ସାମାଜିକ ବନ୍ଧନକୁ ନିକଟରୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଏବଂ ଗବେଷକମାନଙ୍କ ଭିଡ଼ ଜମୁଛି। ଭୁବନେଶ୍ୱରରୁ ଆସିଥିବା ଗବେଷକ ସଂଗୀତା ଏବଂ ହାଇଦ୍ରାବାଦରୁ ଆସିଥିବା ପର୍ଯ୍ୟଟକ ବିଜୟ ଭାସ୍କର ରେଡ୍ଡୀ କହିଛନ୍ତି ଯେ, ଝାଟିମରା ପର୍ବ ଦେଖିଲେ ବନ୍ଧୁତ୍ୱ ଓ ସମ୍ପର୍କର ଗଭୀରତାକୁ ନିଜେ ଅନୁଭବ କରିହୁଏ।





