କୋରାପୁଟ:
Odishaର Koraput district ଅନ୍ତର୍ଗତ ପଟ୍ଟାଙ୍ଗି ଅଞ୍ଚଳର ମାଲିପୁଟ ପଞ୍ଚାୟତରେ ପ୍ରସ୍ତାବିତ ରାସ୍ତା ନିର୍ମାଣକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ସେରୁବନ୍ଧ ପାହାଡ଼କୁ ଚଉଡ଼ା ରାସ୍ତା ନିର୍ମାଣ ପାଇଁ ଏକ ଘରୋଇ କମ୍ପାନି ଟେଣ୍ଡର ପାଇଥିବା ବେଳେ, ଭୂମିପୂଜା ପୂର୍ବରୁ ଗ୍ରାମବାସୀମାନେ ଏକତ୍ରିତ ହୋଇ ବିରୋଧ ଆରମ୍ଭ କରିଛନ୍ତି।
ଆଜି ସକାଳ ପ୍ରାୟ ୧୧ଟାରୁ ମାଲିପୁଟ ଛକରେ ଗ୍ରାମବାସୀଙ୍କ ମେଳି ଲାଗିରହିଛି। ଗତକାଲି ରାତିରୁ କମ୍ପାନି ପକ୍ଷରୁ କିଛି ଲୋକ ଗ୍ରାମବାସୀଙ୍କୁ ଟଙ୍କା ବଣ୍ଟନ କରିଥିବା ଖବର ଚାରିଦିଗରେ ପ୍ରଚାର ପାଇଥିଲା। ପରେ ଠିକା ସଂସ୍ଥାର କର୍ମଚାରୀମାନେ ପାହାଡ଼ ଉପରକୁ ରାସ୍ତା ପାଇଁ ସର୍ଭେ କରିବାକୁ ଯାଇଥିବା ସୂଚନା ମିଳିବା ସହିତ ଗ୍ରାମବାସୀମାନେ ଆନ୍ଦୋଳନରେ ବସିଥିଲେ।
ମେଳିର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ତେବେ ପରିସ୍ଥିତି ନିୟନ୍ତ୍ରଣରେ ଥିବାରୁ ପୁଲିସ ଫେରିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମାଲିପୁଟ ମାଧ୍ୟମରେ ସେରୁବନ୍ଧ ପାହାଡ଼କୁ ଚଉଡ଼ା ରାସ୍ତା ନିର୍ମାଣ ପାଇଁ ଏକ ଘରୋଇ କମ୍ପାନିକୁ ନାଲୋକରୁ ଟେଣ୍ଡର ମିଳିଥିଲା। କିନ୍ତୁ ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ବିରୋଧରେ କାମ ଆଗକୁ ବଢ଼ିପାରୁନଥିଲା। ଆଜି ଭୂମିପୂଜା ଓ ଟଙ୍କା ବଣ୍ଟନ ହେବ ବୋଲି ଗାଁ ସାରା ପ୍ରଚାର ହେବା ପରେ ଛକରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।
ସନ୍ଧ୍ୟା ସୁଦ୍ଧା କାମ ଆରମ୍ଭ ହେବ ବୋଲି ଆଶଙ୍କା କରି ଗ୍ରାମବାସୀମାନେ ଛକରେ ମେଳି ବାନ୍ଧି ଜଗିରହିଛନ୍ତି। ସେରୁବନ୍ଧ ସୁରକ୍ଷା ସମିତିର ସଭାପତି ଭଗବାନ ଗୋଲୋରି କହିଛନ୍ତି ଯେ, ଦୀର୍ଘଦିନ ଧରି ସେରୁବନ୍ଧ ପାହାଡ଼ ସୁରକ୍ଷା ପାଇଁ ଲୋକେ ଆନ୍ଦୋଳନ କରୁଛନ୍ତି ଓ ଲୋକଙ୍କ ସମ୍ମତି ବିନା କାମ ଆରମ୍ଭ କରିବାକୁ ଦିଆଯିବ ନାହିଁ।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।





