ବ୍ରହ୍ମପୁର – ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି ବ୍ରହ୍ମପୁର ମହିଳା ଥାନାର ଏଏସ୍ଆଇ ବବିତା ସୁନା। ଗିରଫ ଭୟ ଦେଖାଇ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ବିଭାଗ କେସ୍ ନମ୍ବର ୭/୨୫ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଏକ ଯୌତୁକ ଓ ଘରୋଇ ହିଂସା ମାମଲାରେ ଏଏସ୍ଆଇ ବବିତା ତଦନ୍ତକାରୀ ଅଧିକାରୀ ଥିଲେ। ସେ ଏତଲାକାରୀ ମହିଳାଙ୍କ ସ୍ବାମୀ ଓ ଶାଶୂଙ୍କୁ ଗିରଫ କରିବା ଭୟ ଦେଖାଇ ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ। ଏହି ଅନ୍ୟାୟ ବିଷୟରେ ସମ୍ପୃକ୍ତ ବ୍ୟକ୍ତି ବ୍ରହ୍ମପୁର ଭିଜିଲାନ୍ସ ଅଫିସରେ ଅଭିଯୋଗ ଦାଖଲ କରିଥିଲେ।
ଭିଜିଲାନ୍ସ ଯୋଜନାମୁତାବକ, ଅଭିଯୋଗକାରୀ ମହିଳା ଥାନାକୁ ଯାଇ ବବିତାଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ଟଙ୍କା ଦେଇବା ପରେ, ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରି ଏଏସ୍ଆଇ ବବିତାଙ୍କୁ ଧରିଥିଲା। ସେଠାରେ ଲାଞ୍ଚ ବାବଦ ଟଙ୍କା ଜବତ କରାଯିବା ସହିତ ମାମଲା ସଂପୃକ୍ତ ସମସ୍ତ କାଗଜପତ୍ର ମଧ୍ୟ ଜବତ କରାଯାଇଛି।
ଭିଜିଲାନ୍ସ ଟିମ୍ ବବିତାଙ୍କ ସରକାରୀ କ୍ୱାର୍ଟର ସମେତ ଦୁଇଟି ସ୍ଥାନରେ ଚଢ଼ଉ ଅଭିଯାନ ଜାରି ରଖିଛି।