ଭୁବନେଶ୍ୱର, 13 ଅଗଷ୍ଟ: ପିପିଲି ଅଞ୍ଚଳରେ ଜଣେ 37 ବର୍ଷୀୟା ମହିଳା ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ପୀଡିତାଙ୍କୁ ଅର୍ଚ୍ଚନା ଦାସ ବୋଲି ଚିହ୍ନଟ କରାଯାଇଛି।

ସୂଚନା ଅନୁସାରେ, ସେ ପିପିଲିର ଜୟପୁର ଛକ ନିକଟରେ ଏକ ଭଡା ଘରରେ ସ୍ୱାମୀ ସହିତ ରହୁଥିଲେ। ସ୍ୱାମୀ ଏକ ଜିମ୍ ଚଳାନ୍ତି। ସୋମବାର ସଂଧ୍ୟା, ଘରରୁ ହଠାତ୍ ନିଆଁ ବାହାରୁଥିବା ଦେଖି ପଡ଼ୋଶୀ ଓ ଦୋକାନୀମାନେ ସାହାଯ୍ୟ ପାଇଁ ଦୌଡ଼ିଆସିଥିଲେ। ପରେ, ତାଙ୍କ ଦିଅର ମଧ୍ୟ ଜିମ୍ ରୁ ଆସି ନିଆଁ ନିଭାଇଥିଲେ।

ଅର୍ଚ୍ଚନାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲକୁ ନେଇଯାଇଥିଲା, ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେ 60% ପୋଡ଼ିଯାଇଥିବା ଖବର ମିଳିଛି।

ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ, ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।