ମୁମ୍ବାଇ: ଦୀର୍ଘ ତିନି ବର୍ଷର ବିରତି ପରେ ବଲିଉଡର ‘ମିଷ୍ଟର୍ ପର୍ଫେକ୍ସନିଷ୍ଟ୍‌’ ଅମୀର ଖାନ ପୁଣିଥରେ ପରଦାକୁ ଫେରିଛନ୍ତି। ୨୦୨୨ରେ ତାଙ୍କ ଶେଷ ରିଲିଜ୍‌ ‘ଲାଲ ସିଂହ ଚଡ୍ଡା’ ବୋକସ୍ ଅଫିସ୍‌ରେ ବିଫଳ ହେବା ପରେ ସେ ଚଳଚ୍ଚିତ୍ର ଜଗତରୁ ଅନୁପସ୍ଥିତ ଥିଲେ। ବର୍ତ୍ତମାନ ସେ ‘ସୀତାରେ ଜମିନ୍ ପର’ ଚଳଚ୍ଚିତ୍ର ମାଧ୍ୟମରେ ଧମାଲ କରିବାକୁ ଚାଲିଛନ୍ତି।

ଏହି ଚଳଚ୍ଚିତ୍ରଟି ୨୦୧୮ର ସ୍ପାନିସ୍‌ ଫିଲ୍ମ ‘ଚାମ୍ପିଅନ୍ସ’ର ଅଫିସିଆଲ୍‌ ରିମେକ୍‌ ଅଟେ। ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା କରିଛନ୍ତି ଆର. ଏସ୍. ପ୍ରସନ୍ନ। ଏହି ଫିଲ୍ମରେ ଅମୀର ଖାନ ସହିତ ଜେନେଲିଆ ଦେଶମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଆରୁଷ ଦତ୍ତା, ଗୋପୀ କୃଷ୍ଣନ୍ ବର୍ମା, ବେଦାନ୍ତ ଶର୍ମା, ନମନ ମିଶ୍ର, ରିଷି ଶାହାଣୀ ଓ ରିଷଭ ଜୈନ ମଧ୍ୟ ଏଥିରେ ଅଭିନୟ କରିଛନ୍ତି।

‘ସୀତାରେ ଜମିନ୍ ପର’ ଅମୀର ଖାନ ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ହୋଇଛି। ଏହା ମାନବିକ ମୂଲ୍ୟବୋଧ ଓ ଦୃଢ ମନୋବଳ ଉପରେ ଆଧାରିତ ଏକ ପ୍ରେରଣାଦାୟକ କାହାଣୀ।

ଅମୀର ଖାନଙ୍କ ବିଷୟରେ:

ଅମୀର ଖାନ, ଯାହାଙ୍କର ପୂର୍ଣ୍ଣ ନାମ ମହମ୍ମଦ ଅମୀର ହୁସେନ ଖାନ, ବଲିଉଡର ଜଣେ ପ୍ରତିଷ୍ଠିତ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ସ୍କ୍ରିନପ୍ଲେ ଲେଖକ ଅଟେ। ସେ ତାଙ୍କ କ୍ୟାରିୟରରେ ୪ଟି ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଟି ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି। ଦେଶ ପ୍ରତି ତାଙ୍କ ଅବଦାନ ପାଇଁ ସେ ୨୦୦୩ରେ ‘ପଦ୍ମଶ୍ରୀ’ ଓ ୨୦୧୦ରେ ‘ପଦ୍ମଭୂଷଣ’ ରେ ସମ୍ମାନିତ ହୋଇଥିଲେ।