କୋଲକାତା: ବଲିଉଡ୍ ସଙ୍ଗୀତ ଜଗତରେ ଅପରିଚିତ ନୁହେଁ ଅରିଜିତ ସିଂଙ୍କ ସ୍ବର। ଶତାଧିକ ହିଟ୍ ଗୀତରେ ନିଜ କଣ୍ଠ ମାଧ୍ୟମରେ ଶ୍ରୋତାଙ୍କ ମନ ଜିତିଥିବା ଏହି ଲୋକପ୍ରିୟ ଗାୟକ ଏବେ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଆଗାମୀ ଦିନରେ ସେ ସିନେମା ପାଇଁ ପ୍ଲେବ୍ୟାକ୍ ଗାୟକ ଭାବେ କାମ କରିବେ ନାହିଁ ବୋଲି ଅରିଜିତ ଘୋଷଣା କରିଛନ୍ତି।
ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସୂଚନା ଶେୟାର କରି ଅରିଜିତ କହିଛନ୍ତି ଯେ, ସେ ଏବେ ସିନେ ସଙ୍ଗୀତରୁ ବିରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଏହି ଘୋଷଣା ପରେ ନୂଆବର୍ଷର ଆରମ୍ଭରେ ଲକ୍ଷ-ଲକ୍ଷ ପ୍ରଶଂସକ ଭାବୁକ ହୋଇପଡ଼ିଛନ୍ତି।
ଅରିଜିତ ନିଜ ପୋଷ୍ଟ୍ରେ ଶ୍ରୋତାଙ୍କ ସ୍ନେହ, ଭଲପାଇବା ଓ ଶ୍ରଦ୍ଧା ପାଇଁ କୃତଜ୍ଞତା ଜଣାଇ କହିଛନ୍ତି ଯେ, “ଏହି ଯାତ୍ରା ମୋ ପାଇଁ ଅତ୍ୟନ୍ତ ସୁନ୍ଦର ଓ ସ୍ମରଣୀୟ ଥିଲା। ଏବେ ନୂଆ କାମ ନେବି ନାହିଁ ଏବଂ ଏଠିଏ ମୋର ପ୍ଲେବ୍ୟାକ୍ ଗାୟକ ଯାତ୍ରାକୁ ବିରାମ ଦେଉଛି।”
ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବରୁ କରାଯାଇଥିବା ସମସ୍ତ ଚୁକ୍ତି ଓ ପ୍ରତିବଦ୍ଧତା ସେ ପୂରଣ କରିବେ। ସଙ୍ଗୀତ ପ୍ରତି ତାଙ୍କର ଭଲପାଇବା ଅଟୁଟ ରହିବ ବୋଲି କହିଥିବା ବେଳେ, ସିନେମାରୁ ବିରାମ ନେବା ନିଷ୍ପତ୍ତି ସମୟିକ କି ଦୀର୍ଘକାଳୀନ—ସେଥିପାଇଁ ଅପେକ୍ଷା ରହିଛି।





