ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା Asha Bhosleଙ୍କୁ ଶନିବାର ସନ୍ଧ୍ୟାରେ ହୃଦ୍ଘାତ ହେବା ପରେ ମୁମ୍ବାଇର Breach Candy Hospitalରେ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟା ଏହି ଗାୟିକାଙ୍କୁ ହସ୍ପିଟାଲର ଇମର୍ଜେନ୍ସି ମେଡିକାଲ୍ ସର୍ଭିସ (EMS) ୟୁନିଟ୍ରେ ରଖାଯାଇଛି।
ହସ୍ପିଟାଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଶାଜୀ ହୃଦ୍ଘାତ ସହିତ ଶ୍ୱାସକ୍ରିୟା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଜୀବନ ରକ୍ଷାକାରୀ ସାଧନରେ ଚିକିତ୍ସା ଚାଲିଛି।
ଏହି ଖବର ପ୍ରକାଶ ପାଇବା ସହିତ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ Ashish Shelar ହସ୍ପିଟାଲକୁ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ନେଇଛନ୍ତି। ପରିବାର ସଦସ୍ୟ ଓ ନିକଟାତ୍ମୀୟମାନେ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି।
ସୋସିଆଲ ମିଡିଆରେ ବଲିଉଡ୍ କଳାକାର ଓ କୋଟି କୋଟି ପ୍ରଶଂସକ ଆଶାଜୀଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି। ୭ ଦଶକରୁ ଅଧିକ ସମୟ ଧରି ସଙ୍ଗୀତ ଜଗତରେ ନିଜ ସୁମଧୁର ସ୍ୱରରେ ରାଜ କରିଥିବା ଆଶା ଭୋସଲେ ହଜାର ହଜାର ଗୀତ ଗାଇଛନ୍ତି।
ତାଙ୍କ ଅପୂର୍ବ ସଫଳତା ପାଇଁ ସେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହୋଇଛନ୍ତି। ସମଗ୍ର ସଙ୍ଗୀତ ଜଗତ ଏବେ ଏହି ସୁର ସାମ୍ରାଜ୍ଞୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଅପେକ୍ଷା କରିଛି।




