୧୯୭୧ର ଭାରତ–ପାକିସ୍ତାନ ଯୁଦ୍ଧ ଆଜି ମଧ୍ୟ ଭାରତୀୟ ସାମୂହିକ ସ୍ମୃତିରେ ଏକ ଗଭୀର ଛାପ ଛାଡ଼ିଛି—ଏହାର ସାକ୍ଷ୍ୟ ହେଉଛି ଗୋଟିଏ ମାସର ବ୍ୟବଧାନରେ ସେହି ଯୁଦ୍ଧକୁ ଆଧାର କରି ଦୁଇଟି ବଡ଼ ବଲିଉଡ୍‌ ସିନେମାର ମୁକ୍ତି। ଶ୍ରୀରାମ ରାଘବନଙ୍କ ‘ଇକ୍କୀସ’ ଯେଉଁଠି ଟ୍ୟାଙ୍କ୍‌ ଯୁଦ୍ଧକୁ କେନ୍ଦ୍ର କରି ଏକ ସଂକୁଚିତ ନାରେଟିଭ୍‌ ଗଢ଼ିଥିଲେ, ସେଠାରେ ଅନୁରାଗ ସିଂହଙ୍କ ‘ବର୍ଡର ୨’ ଜଳ–ସ୍ଥଳ–ବାୟୁ—ତିନୋଟି ମାଧ୍ୟମର ଯୁଦ୍ଧକୁ ଏକାବେଳେ ଗୋଟିଏ ବିଶାଳ କାହାଣୀରେ ବାନ୍ଧିବାର ଦୁଃସାହସ କରିଛି।

ଟ୍ରେଲର୍‌ ମୁକ୍ତି ପରେ ବରୁଣ ଧଵନଙ୍କ ଅଭିନୟକୁ ନେଇ ସାମାଜିକ ଗଣମାଧ୍ୟମରେ ଯେପରି ଉପହାସ ଓ ବିଦ୍ରୂପ ଦେଖାଯାଇଥିଲା, ତାହା ଚଳଚ୍ଚିତ୍ରଟି ପ୍ରତି ଏକ ନକାରାତ୍ମକ ଧାରଣା ସୃଷ୍ଟି କରିଥିଲା। କିନ୍ତୁ ସିନେମା ଦେଖିବା ପରେ ସ୍ପଷ୍ଟ ହୋଇଯାଏ—ଏହି ଟ୍ରୋଲିଂ ଅମୂଳକ ଥିଲା। ବରୁଣ ମେଜର ହୋଶିୟାର ସିଂହ ଦହିୟାଙ୍କ ଭୂମିକାରେ ସଂଯମିତ ଓ ଭରସାଯୋଗ୍ୟ ଅଭିନୟ କରିଛନ୍ତି, ଯାହା ପରିବାର ସହ ଦେଖିବା ଯୋଗ୍ୟ ଏକ ଦେଶଭକ୍ତିମୂଳକ ଚଳଚ୍ଚିତ୍ରର ମୂଳ ଶକ୍ତି।

‘ବର୍ଡର’ର ସିଧାସଳଖ ସିକ୍ୱେଲ୍‌ ହୋଇଥିଲେ ମଧ୍ୟ ‘ବର୍ଡର ୨’ ଏକ ସମ୍ପୂର୍ଣ୍ଣ ନୂଆ କାହାଣୀ ନେଇ ଆସିଛି। ଲୋଙ୍ଗେଵାଲା ଯୁଦ୍ଧର ଉଲ୍ଲେଖ ଥିଲେ ବି, ଏଠାରେ ସନୀ ଦେଓଲଙ୍କ ଚରିତ୍ର ମଧ୍ୟ ପୂର୍ବବର୍ତ୍ତୀ ‘ବର୍ଡର’ରୁ ଅଲଗା। ସେ ଶିଖ ରେଜିମେଣ୍ଟର ଲେଫ୍ଟେନାଣ୍ଟ କର୍ନେଲ ଫତେହ ସିଂହ କଲେର (ବାସ୍ତବ ଜୀବନର ବ୍ରିଗେଡିଅର୍‌ ହରଦେବ ସିଂହ କଲେରଙ୍କ ଆଧାରିତ) ଭୂମିକାରେ ପୁଣିଥରେ ତାଙ୍କର ଚିରାଚରିତ ଗର୍ଜନ ଓ ଦେଶଭକ୍ତିମୟ ଉପସ୍ଥିତି ସହ ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି। ‘ବର୍ଡର’ର ଆତ୍ମା ଏଠାରେ ଅକ୍ଷୁଣ୍ଣ ରହିଛି।

ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧ ସବୁଠାରୁ ଶକ୍ତିଶାଳୀ। ଏଠାରେ ମେଜର ହୋଶିୟାର ସିଂହ (ବରୁଣ ଧଵନ), ଫ୍ଲାଇଂ ଅଫିସର ନିର୍ମଳ ଜିତ ସିଂହ ଶେଖୋଁ (ଦିଲଜୀତ ଦୋସାଂଝ) ଓ ଲେଫ୍ଟେନାଣ୍ଟ କମାଣ୍ଡର ଏମ୍‌.ଏସ୍‌. ରାଵତ (ଅହାନ ଶେଟ୍ଟୀ) କିପରି ପ୍ରଶିକ୍ଷଣ ସମୟରେ ଗଭୀର ବନ୍ଧୁତାରେ ବାନ୍ଧା ହୁଅନ୍ତି, ତାହା ଆବେଗିକ ଭାବେ ଉପସ୍ଥାପିତ। ପାରିବାରିକ ସମ୍ପର୍କ, ବିବାହ, ବିଦାୟ ଓ ହଠାତ୍ ଯୁଦ୍ଧର ଆହ୍ୱାନ—ଏହି ସବୁ ଦୃଶ୍ୟ ଏକ ଦୃଢ଼ ଭାବନାତ୍ମକ ମୂଳଦୁଆ ତିଆରି କରେ।

କିନ୍ତୁ ଦ୍ୱିତୀୟାର୍ଦ୍ଧରେ, ଯେଉଁଠି ଯୁଦ୍ଧ ଦୃଶ୍ୟଗୁଡ଼ିକ ଚରମ ସ୍ତରକୁ ନେବାକୁ ଥିଲା, ସେଠାରେ ଦୁର୍ବଳ ଭିଏଫ୍‌ଏକ୍ସ ଓ ଅତିରିକ୍ତ ବାହାସ୍ଫୋଟମୟ ସଂଳାପ ଦର୍ଶକଙ୍କୁ ଆଶାଭଙ୍ଗ କରେ। ଜାହାଜ, ବିମାନ ଓ ଟ୍ୟାଙ୍କ୍‌ ଯୁଦ୍ଧର ଲୋମଟାଙ୍କୁରା ଅନୁଭୂତି ଆଶା କରୁଥିବା ଦର୍ଶକଙ୍କ ପାଇଁ ଏହି ଅଂଶ ଅପୂର୍ଣ୍ଣ ଲାଗେ। ଏହି ଦିଗରୁ ‘ଇକ୍କୀସ’ ଅଧିକ ସଂଯମୀ ଓ ପ୍ରଭାବଶାଳୀ ପ୍ରତୀତ ହୁଏ।

ମୋନା ସିଂହ ଲେଫ୍ଟେନାଣ୍ଟ କର୍ନେଲ କଲେରଙ୍କ ପତ୍ନୀ ଭୂମିକାରେ ସଂକ୍ଷିପ୍ତ ହେଲେ ମଧ୍ୟ ପ୍ରଭାବଶାଳୀ। ତେବେ ମହିଳା ଚରିତ୍ରମାନଙ୍କ ପାଇଁ ଚଳଚ୍ଚିତ୍ରଟି ଅଧିକ ସ୍ପେସ୍‌ ଦେଇନାହିଁ। ସଙ୍ଗୀତ ଭାଗରେ ଅଧିକାଂଶ ଗୀତ ପୁରୁଣା ‘ବର୍ଡର’ରୁ ରିମେକ୍‌, ଯେଉଁଠି ୨୮ ବର୍ଷର ବୈଷୟିକ ଅଗ୍ରଗତି ଛଡ଼ା ନୂଆ କିଛି ଯୋଗ ହୋଇନାହିଁ।

ତିନି ଘଣ୍ଟା ସତର ମିନିଟର ଦୀର୍ଘତା ଚଳଚ୍ଚିତ୍ରଟିର ଗତିକୁ କେତେକ ସ୍ଥାନରେ ମନ୍ଦ କରିଦେଇଛି; ଏହାକୁ ସହଜରେ ତିନି ଘଣ୍ଟା ମଧ୍ୟରେ ସୀମିତ କରାଯାଇପାରିଥାନ୍ତା।

ସାରକଥା:

‘ବର୍ଡର ୨’ ଏକ ଭାବନାତ୍ମକ, ପରିବାର ସହ ଦେଖିବାଯୋଗ୍ୟ ଦେଶଭକ୍ତିମୂଳକ ସିନେମା। ବରୁଣ ଧଵନଙ୍କୁ ନେଇ ହୋଇଥିବା ଟ୍ରୋଲିଂ ଅନ୍ୟାୟ। ହେଲେ ବିଶାଳ ଯୁଦ୍ଧ ଦୃଶ୍ୟ ଓ ଭିଏଫ୍‌ଏକ୍ସ ମାମଲାରେ ଏହା ଆଶା ଅନୁଯାୟୀ ଉଚ୍ଚତାକୁ ପହଞ୍ଚିପାରିନାହିଁ।